ସହାୟତାର ହାତ ବଢ଼ାଇଲା ଶତ୍ରୁ…

ଜେରୁଜେଲମ୍‌୍‌,୧୯।୬: କରୋନା ସଙ୍କଟରେ ଭେଦଭାବ ଭୁଲି ଜଣେ ଶତ୍ରୁ  ଅନ୍ୟ ଜଣଙ୍କୁ ସହାୟତାର ହାତ ବଢ଼ାଇଛି। ପାଲେଷ୍ଟାଇନ୍‌ ଏବଂ ଇସ୍ରାଏଲ୍‌ ମଧ୍ୟରେ ଦୀର୍ଘଦିନ ଧରି ଲଢ଼େଇ ଜାରି ରହିଛି। ତେବେ ଏବେ କରୋନା ମହାମାରୀ ସଂକ୍ରମଣ ସମୟରେ ପାଲେଷ୍ଟାଇନ୍‌କୁ ୧୪ ଲକ୍ଷ ଫାଇଜର ଭାକ୍ସିନ୍‌ ପଠାଇବାକୁ ଘୋଷଣା କରିଛି। ଏସବୁ ଭାକ୍ସିନ୍‌ କିଛି ଦିନ ପରେ ଏକ୍ସପାୟର ହୋଇଯିବ। ତେଣୁ ଏହାକୁ ନଷ୍ଟ ନ କରି ପଡୋଶୀ ପାଲେଷ୍ଟାଇନ୍‌ ଦେବା ପାଇଁ ଇସ୍ରାଏଲ୍‌ର ନୂଆ ସରକାର କହିଛନ୍ତି। ଇତିମଧ୍ୟରେ ଇସ୍ରାଏଲ୍‌ର ୮୦ ପ୍ରତିଶତ ଜନସଂଖ୍ୟାଙ୍କର ଟିକାଦାନ ଶେଷ ହୋଇଛି। ତେଣୁ ନୂଆ ସରକାର ପାଲେଷ୍ଟାଇନ୍‌ ପ୍ରତି ଉଦାର ମନୋଭାବ ପୋଷଣ କରିଛନ୍ତି। ୧୯୪୮ ରେ ଇଂରେଜମାନେ ପାଲେଷ୍ଟାଇନ୍‌ର ଦୁଇଭାଗ କରି ଦେଇଥିଲେ। ଏହାର ୫୫ ପ୍ରତିଶତ ପାଲେଷ୍ଟାଇନ୍‌କୁ ପ୍ରଦାନ କରାଯାଇଥିଲା। ଅପରପକ୍ଷରେ ୪୫ ପ୍ରତିଶତ ଭୂଭାଗ ଇସ୍ରାଏଲ୍‌ ପାଖରେ ରହିଥିଲା। ୧୯୪୮ ମେ’ ୧୪ରେ ଇସ୍ରାଏଲ୍‌ ନିଜକୁ ଏକ ସ୍ବାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା। ତେବେ ଉଭୟ ଦେଶ ଜେରୁଜଲମ୍‌କୁ ନିଜର ରାଜଧାନୀ କରିବାକୁ ଚାହୁଁ ଥିବାରୁ ବିବାଦ ଲାଗି ରହିଥିଲା। ୧୯୫୬, ୧୯୬୭, ୧୯୭୩, ୧୯୮୨ରେ ଦୁଇଦେଶ ମଧ୍ୟରେ ଯୁଦ୍ଧ ହୋଇଛି। ଫଳରେ ପାଲେଷ୍ଟାଇନ୍‌ର ଭୂଭାଗ ୫୫ ପ୍ରତିଶତରୁ ୪୮ ପ୍ରତିଶତ ପରେ ୨୨ ଏବଂ ଏହାପରେ ୧୨ ପ୍ରତିଶତରେ ପହଞ୍ଚିଛି। ତେବେ ଜେରୁଜେଲମ୍‌କୁ ବାଦ୍‌ ଦେଇ ଇସ୍ରାଏଲ୍‌ ପାଲେଷ୍ଟାଇନ୍‌ର ୮୦ ପ୍ରତିଶତ ଜମି ଅଧିକାର କରିସାରିଛି। ପାଲେଷ୍ଟାଇନ୍‌ ପାଖରେ ଏବେ ଗାଜା ଏବଂ ଓ୍ବେଷ୍ଟ ବ୍ୟାଙ୍କ୍‌ ଅଞ୍ଚଳ ରହିଛି। ମାତ୍ର ଜମି ବିବାଦକୁ ଭୁଲି ଏବେ ଇସ୍ରାଏଲ୍‌ ପାଲେଷ୍ଟାଇନ୍‌ ପ୍ରତି ସହଯୋଗର ହାତ ବଢ଼ାଇଛି।

Share