ପୁଣେ,୨୬।୭: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ କେବଳ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି), ଆୟକର ବିଭାଗ ଏବଂ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଭଳି ତିନିଟି ଶକ୍ତିଶାଳୀ ଦଳ ଅଛି।
ନିକଟରେ ଭାଜପା ନେତୃତ୍ୱାଧୀନ ଏନଡିଏର ବୈଠକକୁ ନେଇ ଠାକ୍ରେ କହିଛନ୍ତି, ନିର୍ବାଚନ ପାଖେଇ ଆସିଲେ, ଭାଜପା ପାଇଁ ଏନଡିଏ ସରକାର ହୋଇଥାଏ। କିନ୍ତୁ ନିର୍ବାଚନ ପରେ ଏହା ମୋଦି ସରକାର ହୋଇଯାଏ। ଏନଡିଏରେ ୩୬ଟି ଦଳ ଅଛି। କେବଳ ଇଡି, ସିବିଆଇ ଏବଂ ଆୟକର ହେଉଛି ଏନଡିଏର ତିନୋଟି ଶକ୍ତିଶାଳୀ ଦଳ। ଅନ୍ୟ ଦଳଗୁଡିକ କେଉଁଠାରେ ଅଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। କେତେକ ଦଳର ଏପରିକି ଏମ୍ପି ମଧ୍ୟ ନାହାଁନ୍ତି। ସେମାନଙ୍କୁ ନେଇ ଭାଜପା ଏନଡିଏ ଗଠନ କରିଛି ବୋଲି ସେ କହିଛନ୍ତି।
ଗତ ସପ୍ତାହରେ ଦିଲ୍ଲୀରେ ଏନଡିଏର ଏକ ବୈଠକ ହୋଇଥିଲା। ସେହି ଦିନ ଶିବସେନା (ୟୁବିଟି) ସମେତ ୨୬ ବିରୋଧୀ ଦଳ ବେଙ୍ଗାଲୁରୁରେ ସାକ୍ଷାତ କରି ସର୍ବସମ୍ମତି କ୍ରମେ ସେମାନଙ୍କ ମିଳିତ ମେଣ୍ଟ ‘ଇଣ୍ଡିଆ’ ନାମ ଦେଇଥିଲେ।