Categories: ଜାତୀୟ

ବଢିଲା ମହୁଆଙ୍କ ଅଡୁଆ: କେଜରିଓ୍ବାଲଙ୍କ ପରି ଯାଇପାରନ୍ତି ଜେଲ୍‌!

ନୂଆଦିଲ୍ଲୀ,୨।୪:ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଏମପି ମହୁଆ ମୋଇତ୍ରାଙ୍କ ବିଢିଲା ଅଡୁଆ। ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଇଡି ତାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ବୈଦେଶିକ ବିନିମୟ ପରିଚାଳନା ଆକ୍ଟ (FEMA) ମାମଲାରେ ଇଡି ସୋମବାର ମହୁଆଙ୍କୁ ପଚରାଉଚରା କରିବାର ଥିଲା। କିନ୍ତୁ ସେ ଇଡି କାର୍ଯ୍ୟାଳୟରେ ହାଜର ହୋଇ ନ ଥିଲେ। ଏହା ପରିବର୍ତ୍ତେ ସେ ଏଜେନ୍ସିକୁ ଏକ ଚିଠି ଲେଖି ହାଜର ହେବା ପାଇଁ ତାଙ୍କୁ ୨୧ଦିନ ସମୟ ଦେବାକୁ କହିଥିଲେ। ତେବେ ମହୁଆଙ୍କୁ ସମୟ ଦେବାକୁ ଇଡି ମନା କରିଦେଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ମୋଇତ୍ରାଙ୍କ ବିରୋଧରେ ଏକ ନୂଆ ସମନ ଜାରି କରି ତାଙ୍କୁ ୭ ଦିନ ପରେ ପଚରାଉଚରା ପାଇଁ ଡାକିଛି।

ସୂଚନାଯୋଗ୍ୟ, ଲୋକପାଲଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (CBI) ଏହି ମାମଲାର ତଦନ୍ତ କରିସାରିଛି। ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଲୋକପାଲ ସିବିଆଇକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ଗତ ବର୍ଷ ଭାଜପା ଏମପି ନିଶିକାନ୍ତ ଦୁବେ ମହୁଆ ମୋଇତ୍ରାଙ୍କ ବିରୋଧରେ ଲାଞ୍ଚ ନେଇ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ ଆଣିଥିଲେ। ମହଙ୍ଗା ଉପହାର ଓ ଟଙ୍କା ବଦଳରେ ବ୍ୟବସାୟୀ ଦର୍ଶନ ହିରାନନ୍ଦାନୀଙ୍କ ନିର୍ଦ୍ଦେଶରେ ସଂସଦରେ ପ୍ରଶ୍ନ ପଚାରିଥିବା ଅଭିଯୋଗ କରିଥିଲେ। ଅନୁସନ୍ଧାନରେ ଦୋଷୀ ସାବ୍ୟସ୍ତ ହେବା ପରେ ୮ ଡିସେମ୍ବର ୨୦୨୩ରେ ମହୁଆଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା।

Share