Categories: ଖେଳ

ଇଂଲଣ୍ଡ ୨୩୭, ଅଷ୍ଟ୍ରେଲିଆ ୧୧୬/୪

ଲିଡ୍ସ, ୮।୭: ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଆଶେସ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଏହାର ପ୍ରଥମ ଇନିଂସରେ ୨୩୭ ରନକରି ଅଲ୍‌ଆଉଟ ହୋଇଛି। ଦ୍ୱିତୀୟ ଦିବସ ଖେଳ ଶେଷ ବେଳକୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୪ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରିଛି। ଫଳରେ ୬ ଉଇକେଟ ସୁରକ୍ଷିତ ଥାଇ ଅଷ୍ଟ୍ରେଲିଆ ମୋଟ ୧୪୨ ରନରେ ଅଗ୍ରଣୀଲାଭ କରିଛି। ଡେଭିଡ ଓ୍ବାର୍ନର ୧, ମାର୍ନସ ଲାବୁସେନ ୩୩, ଷ୍ଟିଭେନ ସ୍ମିଥ ୨ ଓ ଉସମାନ ଖ୍ବାଜା ୪୩ ରନକରି ଆଉଟ ହୋଇଛନ୍ତି। ଇଂଲଣ୍ଡ ପକ୍ଷରୁ ମୋଇନ ଅଲୀ ୨ଟି ଏବଂ ଷ୍ଟୁଆର୍ଟ ବ୍ରଡ୍‌ ଓ କ୍ରିସ୍‌ ଓ୍ବକ୍ସ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଅଷ୍ଟ୍ରେଲିଆ ଏହାର ପ୍ରଥମ ଇନିଂସରେ ୨୬୩ ରନ କରିଥିଲା।
କୁମିନ୍ସଙ୍କୁ ୬ ଉଇକେଟ
ପ୍ରଥମ ଦିବସର ଅସମାପ୍ତ ସ୍କୋର ୬୮/୩ରୁ ଖେଳ ଆରମ୍ଭ କରିଥିଲା ଇଂଲଣ୍ଡ। ଦ୍ୱିତୀୟ ଦିବସରେ ଆଉ କୌଣସି ରନ ଯୋଗ ହେବା ପୂର୍ବରୁ ଜୋ ରୁଟ୍‌ଙ୍କୁ ଆଉଟ କରି ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କୁମିନ୍ସ। ଜନି ବେୟାରଷ୍ଟୋ (୧୨), ମୋଇନ ଅଲୀ (୨୧), କ୍ରିସ୍‌ ଓ୍ବକ୍ସ (୧୦) ମଧ୍ୟ ଅଧିକ ସମୟ ତିଷ୍ଠିପାରି ନ ଥିଲେ। ମିଡିଲ ଅର୍ଡରରେ ଅଧିନାୟକ ବେନ୍‌ ଷ୍ଟୋକ୍ସ ଲଢ଼ୁଆ ବ୍ୟାଟିଂ କରିଥିଲେ ହେଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଷ୍ଟୋକ୍ସ ୧୦୮ଟି ବଲ୍‌ର ସମ୍ମୁଖୀନ ହୋଇ ୬ ଚୌକା ଓ ୫ ଛକା ସହାୟତାରେ ୮୦ ରନକରି ଶେଷ ଖେଳାଳିଭାବେ ଆଉଟ ହୋଇଥିଲେ। ମାର୍କ ଉଡ୍‌ ୮ ବଲ୍‌ରୁ ଦ୍ରୁତ ୨୪ (୧ ଚୌକା, ୩ ଛକା) ରନର ଇନିଂସ ଖେଳି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ୬ ଉଇକେଟ ସଫଳତା ପାଇଥିଲେ ଅଧିନାୟକ ପ୍ୟାଟ୍‌ କୁମିନ୍ସ।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ: ୨୬୩। ଇଂଲଣ୍ଡ ପ୍ରଥମ ଇନିଂସ: ୨୩୭/ଅଲ୍‌ଆଉଟ (ବେନ୍‌ ଷ୍ଟୋକ୍ସ-୮୦, ଜ୍ୟାକ କ୍ରଲି-୩୩, ମାର୍କ ଉଡ୍‌-୨୪, ପ୍ୟାଟ୍‌ କୁମିନ୍ସ-୬/୯୧, ମିଚେଲ ଷ୍ଟାର୍କ-୨/୫୯, ମିଚେଲ ମାର୍ଶ-୧/୯, ଟଡ୍‌ ମର୍ଫି-୧/୩୬)। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ: ୧୧୬/୪।

Share