Categories: ଖେଳ

ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଇଂଲଣ୍ଡ

ଧର୍ମଶାଳା, ୧୦।୧୦: ଦିନିକିଆ କ୍ରିକେଟ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହେବା ପରେ ଇଂଲଣ୍ଡ ଦୃଢ଼ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି। ଧର୍ମଶାଳାରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଏହାର ଦ୍ୱିତୀୟ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ। ନ୍ୟୁଜିଲାଣ୍ଡ ବିପକ୍ଷ ଅପ୍ରତ୍ୟାଶିତ ପରାଜୟ ଇଂଲଣ୍ଡ ପାଇଁ ସତର୍କ ଘଣ୍ଟି ଥିଲା। ଇଂଲଣ୍ଡ ବାଜ୍‌ବଲ୍‌ କ୍ରିକେଟ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ପକ୍ଷରୁ ରାଚିନ୍‌ ରବୀନ୍ଦ୍ର ଓ ଡେଭନ୍‌ କନ୍‌ଓ୍ବେ ଦ୍ରୁତ ବ୍ୟାଟିଂ କରି ସମସ୍ତଙ୍କୁ ଚକିତ କରିଥିଲେ। ୨୮୨ ରନ୍‌ ସ୍କୋର ହୋଇଥିବା ବେଳେ ଇଂଲଣ୍ଡର ବୋଲର ମାନେ ୩୭ ଓଭରରେ ଏହି ରନ୍‌ ବ୍ୟୟ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜୋ ରୁଟ୍‌, ଜନି ବେୟାରଷ୍ଟୋ ଓ ଅଧିନାୟକ ଜୋସ୍‌ ବଟଲର ଭଲ ବ୍ୟାଟିଂ କରିଥିଲେ। ଏହି ଖେଳାଳିଙ୍କୁ ବାଦ ଦେଲେ ଅନ୍ୟ ସମସ୍ତ ବ୍ୟାଟର ବିଫଳ ହୋଇଥିଲେ। ତେବେ ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡର ବୋଲିଂ ଅତ୍ୟନ୍ତ ସାଧାରଣ ସାବ୍ୟସ୍ତ ହୋଇଥିଲା। କ୍ରିସ୍‌ ଓକ୍ସ, ମାର୍କ ଉଡ୍‌ ଓ ସାମ୍‌ କୁରାନ ପ୍ରଭାବହୀନ ରହିଥିଲେ। ଇଂଲଣ୍ଡର ଏହି ଦୁର୍ବଳତାର ଫାଇଦା ଉଠାଇବାକୁ ପ୍ରୟାସ କରିବ ବାଂଲାଦେଶ।
ଉଭୟ ଦଳ ଧର୍ମଶାଳାରେ ପ୍ରଥମ ଥର ଖେଳୁଥିବା ବେଳେ ଏଠାରେ ସ୍ପିନରଙ୍କ ସାମାନ୍ୟ ଅଧିକ ସହାୟତା ମିଳିଥାଏ। ବାଂଲାଦେଶ ଏହାର ଫାଇଦା ଉଠାଇ ଇଂଲଣ୍ଡକୁ ଅସୁବିଧାରେ ପକାଇବାକୁ ଚାହିଁବ। ପ୍ରଥମ ମ୍ୟାଚ୍‌ ପରେ ଆଫଗାନିସ୍ତାନ କୋଚ୍‌ ଜୋନାଥନ୍‌ ଟ୍ରଟ୍‌ ଏହି ଷ୍ଟାଡିୟମର ଆଉଟଫିଲ୍ଡକୁ ନେଇ ପ୍ରଶ୍ନ ଉଠାଇଥିଲେ। ଫିଲ୍ଡିଂ କରୁଥିବା ସମୟରେ ଏକାଧିକ ଆଫଗାନ ଖେଳାଳି ଆହତ ହୋଇଥିଲେ। ତେଣୁ ଇଂଲଣ୍ଡ ଓ ବାଂଲାଦେଶର ଖେଳାଳିଙ୍କୁ କ୍ଷେତ୍ରରକ୍ଷଣ ସମୟରେ ସତର୍କତା ଅବଲମ୍ବନ କରିବାକୁ ହେବ। ଉଭୟ ଦଳ ନିକଟରେ କ୍ୱାଲିଟି ଖେଳାଳି ରହିଥିବା ବେଳେ ସ୍ପିନ୍‌ ବିଭାଗରେ ବାଂଲାଦେଶ ସାମାନ୍ୟ ଶକ୍ତିଶାଳୀ ମନେ ହେଉଛି। ଇଂଲଣ୍ଡ ପକ୍ଷରୁ ଆଦିଲ ରଶିଦ୍‌ ପ୍ରଥମ ମ୍ୟାଚରେ ଟାଇଟ୍‌ ବୋଲିଂ କରିଥିଲେ ମଧ୍ୟ ଉଇକେଟ ଶୂନ୍ୟ ରହିଥିଲେ। ଏହା ବ୍ୟତୀତ ପାର୍ଟ ଟାଇମର ଭାବରେ ଦଳ ନିକଟରେ ମୋଇନ୍‌ ଅଲୀ ଓ ଲିଆମ୍‌ ଲିଭିଙ୍ଗଷ୍ଟୋନଙ୍କ ଉପରେ ମଧ୍ୟ ନଜର ରହିବ। ତେବେ ବାଂଲାଦେଶ ନିକଟରେ ସାକିବ୍‌ ଅଲ ହସନଙ୍କ ସହିତ ମେହିଦୀ ହସନ ମିରାଜ ଓ ହସନ ମହମୁଦଙ୍କ ପରି ସ୍ପିନର ରହିଛନ୍ତି। ସେହିଭଳି ବ୍ୟାଟିଂରେ ମିରାଜ ଓ ନଜମୁଲ ହୋସେନ୍‌ ଶନ୍ତୋ ମଧ୍ୟ ଚମତ୍କାର ଫର୍ମରେ ରହିଛନ୍ତି। ଏହି ମ୍ୟାଚ୍‌ ପାଇଁ ଇଂଲଣ୍ଡ ଫେଭରିଟ୍‌ ରହିଥିଲେ ହେଁ ଅତୀତରେ ବାଂଲାଦେଶ ଅନେକ ଶକ୍ତିଶାଳୀ ଦଳଙ୍କୁ ପରାସ୍ତ କରିବାର ରେକର୍ଡ ରଖିଛି।

Share