Categories: ଖେଳ

୨୩ତମ ଓଭରରେ ୨୩ ସେକେଣ୍ଡ

ଲର୍ଡସ,୩।୬: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପୂର୍ବତନ ସ୍ପିନର ଶେନ ଓ୍ବର୍ନ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରଶଂସକମାନେ ମନେ ପକାଉଛନ୍ତି। ଏପରିକି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜର ଆରମ୍ଭ ପରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଲର୍ଡସରେ ଉଭୟ ଦଳର ଖେଳାଳି ଓ୍ବର୍ନଙ୍କୁ ନିଆରା ଢ଼ଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ବେନ ଷ୍ଟୋକ୍ସ ନେତୃତ୍ୱାଧୀନ ଇଂଲଣ୍ଡ ଏବଂ କେନ୍‌ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଉଭୟ ଦଳର କ୍ରିକେଟରମାନେ ୨୩ ତମ ଓଭରରେ ୨୩ ସେକେଣ୍ଡ ଲାଗି ନିରବ ପ୍ରାର୍ଥନା କରିଥିଲେ। ସେହିଭଳି ଲର୍ଡସ ମଇଦାନରେ ଉପସ୍ଥିତ ହଜାର ହଜାର ଦର୍ଶକ କରତାଳି ଦେଇଥିଲେ। ସେହି ସମୟରେ ପରଦାରେ ଓ୍ବର୍ନଙ୍କ ଜୀବନର ଏକ ଝଲକ ଦେଖିବାକୁ ମିଳିଥିଲା। ବିଲବୋର୍ଡରେ ‘ଶେନ ଓ୍ବର୍ନ ୧୯୬୯-୨୦୨୨’ ବୋଲି ଲେଖାଥିଲା।

ତେବେ ଶ୍ରୀଲଙ୍କାର ମୁରଲୀଧରନଙ୍କ ପରେ ଓ୍ବର୍ନ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସର୍ବାଧିକ ଉଇକେଟ ନେଇଛନ୍ତି। ତେବେ ସେ ଅଷ୍ଟ୍ରେଲିଆର ଫୁଟବଲର୍‌ ଡର୍ମୋଟ ବ୍ରେରେଟନ୍‌ଙ୍କ ସମ୍ମାନାର୍ଥେ ୨୩ ନମ୍ବର ଜର୍ସି ପିନ୍ଧୁଥିଲେ।

Share