ସାଉଥାମ୍ପଟନ, ୧୧।୮: ଭ୍ରମଣକାରୀ ପାକିସ୍ତାନ ବିପକ୍ଷ ୨ୟ ଟେଷ୍ଟ ପୂର୍ବରୁ ଇଂଲଣ୍ଡ ଦଳକୁ ଆଉ ଏକ ଝଟ୍କା ଲାଗିଛି। ପୂର୍ବରୁ ଷ୍ଟାର୍ କ୍ରିକେଟର୍ ବେନ୍ ଷ୍ଟୋକ୍ସ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜର ବଳକା ମ୍ୟାଚ୍ରୁ ଓହରିଯାଇଥିଲେ। ଏବେ ଏହି ତାଲିକାରେ ଆଉ ଜଣେ ଇଂଲଣ୍ଡ ଖେଳାଳି ଯୋଡ଼ି ହୋଇଛନ୍ତି। ସେ ହେଉଛନ୍ତି ନବାଗତ ବ୍ୟାଟ୍ସମ୍ୟାନ ଡାନ୍ ଲରେନ୍ସ। ସେ ଇଂଲଣ୍ଡ ରିଜର୍ଭ ଖେଳାଳି ତାଲିକାରେ ସାମିଲ ଥିଲେ। ତେବେ ପରିବାରର ଜଣେ ସଦସ୍ୟଙ୍କ ବିୟୋଗ ଯୋଗୁ ୨୩ ବର୍ଷୀୟ ଏହି ଉଦୀୟମାନ ବ୍ୟାଟ୍ସମ୍ୟାନ ଦଳର ଜୈବ ସୁରକ୍ଷିତ ପରିବେଶରୁ ବାହାରି ଯାଇଛନ୍ତି। ଫଳରେ ଲରେନ୍ସଙ୍କ ଟେଷ୍ଟ ପଦାର୍ପଣ ସ୍ବପ୍ନ ପୂରଣ ହେବାରେ ବିଳମ୍ବ ହୋଇଛି। ଇଂଲଣ୍ଡ ଆଣ୍ଡ୍ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ଏକ ବିବୃତିରେ କୁହାଯାଇଛି, ‘ଟେଷ୍ଟ ପଦାର୍ପଣ ଅପେକ୍ଷାରେ ରହିଥିବା ଲରେନ୍ସ ପାକିସ୍ତାନ ବିପକ୍ଷରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ୨ୟ ଟେଷ୍ଟ ଲାଗି ଦଳରେ ଚୟନ ପାଇଁ ଉପଲବ୍ଧ ହେବେ ନାହିଁ।’ କାଉଣ୍ଟି କ୍ରିକେଟ୍ କ୍ଲବ ଏସେସ୍ ବ୍ୟାଟ୍ସମ୍ୟାନ ଲରେନ୍ସ ୭୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୩,୮୦୪ ରନ୍ ସଂଗ୍ରହ କରିଛନ୍ତି। ତାଙ୍କ ନାମରେ ମଧ୍ୟ ୯ ଉଇକେଟ୍ ରହିଛି।