ଦୁବାଇ, ୯ା୨- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଲଜ୍ଜ୍ୟାଜନକ ପରାଜୟ ପରେ ଭାରତୀୟ ଦଳକୁ ଆଉ ଏକ ଝଟ୍କା ଲାଗିଛି। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ର଼୍ୟାଙ୍କିଙ୍ଗ୍ରେ ପୂର୍ବରୁ ପ୍ରଥମ ସ୍ଥାନରେ ଥିବା ଟିମ୍ ଇଣ୍ଡିଆ ଏବେ ଖସିଯାଇଛି ଚତୁର୍ଥ ସ୍ଥାନକୁ। ଏଥିଯୋଗୁ ଚଳିତ ବର୍ଷ ଜୁନରେ ଲଡର୍ସଠାରେ ଖେଳାଯିବାକୁ ଥିବା ପ୍ରଥମ ଡବ୍ଲ୍ୟୁଟିସି ଫାଇନାଲରେ ଖେଳିବାର ସୁଯୋଗ ହାତଛଡ଼ା କରିପାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ।
ଅପରପକ୍ଷେ ଭ୍ରମଣକାରୀ ଇଂଲଣ୍ଡ ନିକଟରେ ଡବ୍ଲ୍ୟୁଟିସି ଫାଇନାଲରେ ଖେଳିବାର ସୁଯୋଗ ରହିଛି। ଚେନ୍ନାଇ ଟେଷ୍ଟରେ ବୃହତ୍ ବିଜୟ ଯୋଗୁ ଡବ୍ଲ୍ୟୁଟିସି ର଼୍ୟାଙ୍କିଙ୍ଗ୍ର ଶୀର୍ଷ ସ୍ଥାନ ଅଧିକାର କରିଛି ଇଂଲଣ୍ଡ। ଏହି ସମ୍ମାନଜନକ ଫାଇନାଲ ମ୍ୟାଚ୍ ପାଇଁ ଏକମାତ୍ର ଦଳ ଭାବେ ନ୍ୟୁଜିଲାଣ୍ଡ ଯୋଗ୍ୟତା ଅର୍ଜନ କରିସାରିଛି। ଉଲ୍ଲେଖଯୋଗ୍ୟ, ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇ ଐତିହାସିକ ବିଜୟ ସହ ଡବ୍ଲ୍ୟୁଟିସି ର଼୍ୟାଙ୍କିଙ୍ଗ୍ର ଶୀର୍ଷକୁ ଉଠିଥିଲା ଭାରତ। ଏବେ ଟିମ୍ ଇଣ୍ଡିଆକୁ ଚଳିତ ଇଂଲଣ୍ଡ ବିପକ୍ଷ ୪ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୧ କିମ୍ବା ୩-୧ ବ୍ୟବଧାନରେ ଜିତିବାକୁ ପଡ଼ିବ।