Categories: ଖେଳ

ହାରିବା ପରେ ମାପିଚୁପି ପ୍ରତିକ୍ରିୟା ଦେଲେ ଇଂଲଣ୍ଡ ଅଧିନାୟକ: କହିଲେ ‘ପିଚ୍‌କୁ ଦୋଷ ଦେବା ଠିକ୍‌ ନୁହେଁ, ହେଲେ…’

ନୂଆଦିଲ୍ଲୀ,୨୬।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ମୁକାବିଲାରେ ବିଜେତା ହୋଇଛି ଭାରତୀୟ ଟିମ୍‌। ୧୦ ଉଇକେଟରେ ମ୍ୟାଚ୍‌କୁ ଜିତି ନେଇ ସିରିଜକୁ ୨-୧ ସ୍ଥିତିକୁ ଆଣିଛି ଭାରତ। ଏଥିସହ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ନିଜ ସ୍ଥାନ ନିଶ୍ଚିତ କରିଛି। ଅପରପକ୍ଷେ ତାଲିକାରୁ ବାହାର ହୋଇଛି ଇଂଲଣ୍ଡ ଟିମ୍‌। ତେବେ ଅହମ୍ମଦାବାଦ ପିଚ୍‌ରେ ଭାରତୀୟ ସ୍ପିନରଙ୍କ ଦମ୍‌ଦାର ବୋଲିଂ ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନେକ ପଡ଼ିଆର ସମାଲୋଚନା କରୁଥିବା ବେଳେ ଇଂଲଣ୍ଡ ଅଧିନାୟକ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି।

ଅଧିନାୟକ ଜୋ ରୁଟ୍‌ କହିଛନ୍ତି, ଏହି ପିଚ୍‌ ଖେଳ ପାଇଁ ଉପଯୁକ୍ତ ଥିଲା କି ନାହିଁ ତାହାର ନିଷ୍ପତ୍ତି କରିବା ଆଇସିସିର କାମ। ଖେଳାଳି ଭାବେ ଆମେ ଯେକୌଣସି ପରିସ୍ଥିତିରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ଚାହିଁଥାଉ। ପ୍ରଥମ ପାଳିରେ ଦଳ ବଡ଼ ସ୍କୋର କରିପାରି ନ ଥିଲା। ସେତେବେଳେ ତାହା ସମ୍ଭବ ଲାଗୁଥିଲା। ଏବେ ଆମେ ନିରାଶ। ଆମେ ସେହି ସୁଯୋଗକୁ ହାତଛଡ଼ା କରିବା ଭଳି ଲାଗୁଛି। ଗୋଟିଏ ସମୟରେ ଆମ ସ୍କୋର ୭୧/୨ ଥିଲା। ସେତେବେଳେ ଆମ ପାଖରେ ବିଶାଳ ସ୍କୋରର ମଉକା ଥିଲା ବୋଲି ରୁଟ୍‌ କହିଛନ୍ତି।

Share