Categories: ଖେଳ

ଭାରତଠୁ ସିରିଜ୍‌ ହାରିବା ପରେ ବୋର୍ଡକୁ ସମାଲୋଚନା କଲେ ପୂର୍ବତନ ଅଧିନାୟକ

ଲଣ୍ଡନ,୮।୩ : ଭାରତଠାରୁ ୩-୧ ବ୍ୟବଧାନରେ ସିରିଜ୍‌ ହାରିବା ପରେ ଇଂଲଣ୍ଡ ଦଳର ପୂର୍ବତନ ଅଧିନାୟକ ମାଇକେଲ ଭନ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ଇଆନ ମୋର୍ଗାନଙ୍କୁ ଯେଉଁ ଭଳି ଇସିବି ସମର୍ଥନ ଦେଉଛି, ସେଭଳି କାହିଁକି ଟେଷ୍ଟ କ୍ୟାପଟେନ ଜୋ ରୁଟ୍‌ଙ୍କ କ୍ଷେତ୍ରରେ କରୁ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଭନ।

ମୋର୍ଗାନଙ୍କୁ ଦଳରେ ଇଚ୍ଛା ଅନୁଯାୟୀ ଖେଳାଳି ମିଳୁଛି। କିନ୍ତୁ ରୁଟ୍‌ଙ୍କ କ୍ଷେତ୍ରରେ ଏଭଳି କରାଯାଉ ନାହିଁ। ଇସିବିର ରୋଟେଶନ ପଲିସି ହିସାବରେ ଖେଳାଳିଙ୍କୁ ଟେଷ୍ଟ ଦଳରେ ସୁଯୋଗ ଦିଆଯାଉଛି। ଭାରତ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଇଂଲଣ୍ଡ ଦୃବଳ ଦଳ ପଠାଇଥିଲା ବୋଲି ଏକ ଇଂରାଜୀ ଖବରକାଗଜ ପାଇଁ ଏକ ସ୍ତମ୍ଭରେ ଭନ ଉଲ୍ଲେଖ କରିଛନ୍ତି।

ମୁଁ ରୋଟେଶନ ପଲିସିକୁ ବିରୋଧ କରୁନାହିଁ। କୋଭିଡ୍‌ ବବଲରୁ ପ୍ରତ୍ୟେକ ଖେଳାଳିଙ୍କୁ ବ୍ରେକ ଦରକାର। କିନ୍ତୁ ଏହି ନିୟମ ଯୋଗୁ ଆମ ଟେଷ୍ଟ ଦଳ ଦୃବଳ ହୋଇପଡ଼ୁଛି। କ୍ରିକେଟର ଲମ୍ବା ଫର୍ମାଟର ମୁଁ ଜଣେ ବଡ଼ ପ୍ରଶଂସକ ହୋଇଥିବାରୁ ମୋତେ ଏହା ବାଧୁଛି ବୋଲି ଭନ ଲେଖିଛନ୍ତି।

Share