ମାସ୍କ ପିନ୍ଧିଲେ ଅକ୍ସିଜେନ ଲେବଲ କମ୍‌ ହେବ ନାହିଁ !

ଲଣ୍ଡନ,୧୬।୮: ବିଶ୍ୱରେ କରୋନା ମହାମାରୀ ଲୋକଙ୍କ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଥିବା ବେଳେ ଏଥିରୁ ଦୂରେଇ ରହିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ବୋଲି କୁହାଯାଇଛି। ହେଲେ ଏବେ ଲୋକଙ୍କ ମଧ୍ୟରେ ଭୟ ଆସୁଛି କି ଦୀର୍ଘ ସମୟ ପର୍ଯ୍ୟନ୍ତ ମାସ୍କ ପିନ୍ଧିଲେ ଅନ୍ୟକିଛି ଶାରୀରିକ ସମସ୍ୟା ଦେଖାଦେବ ନାହିଁତ। କାରଣ କେହି କେହି ମତ ଦେଉଛନ୍ତି କି ଅଧିକ ସମୟ ମାସ୍କ ପିନ୍ଧିବା ଦ୍ୱାରା ଶରୀରରେ ଅକ୍ସିଜେନ ଲେବଲ କମ୍‌ ହୋଇ ଯାଇଥାଏ। ଏହାକୁ ଭୁଲ୍‌ ପ୍ରମାଣିତ କରିବାକୁ ଏବେ ଜଣେ ଡାକ୍ତର ମାସ୍କ ପିନ୍ଧି ୨୨ ମାଇଲ ବାଟ ଦୌଡିଥିବା ପ୍ରକାଶ କରିଛନ୍ତି। ନିକଟରେ ଡାକ୍ତର ଲାଟନ ଟୁଇଟ କରି ଜଣାଇଛନ୍ତି କି ମାସ୍କ ପିନ୍ଧିଲେ ଅକ୍ସିଜେନ ଲେବଲ କମ୍‌ ହେଉଛି କି ନା ସେ ଜାଣିବା ପାଇଁ ୨୨ କିଲୋମିଟର ଦୌଡିଥିଲେ। ମଝିରେ ମଝିରେ ସେ ତାଙ୍କର ଅକ୍ସିଜେନ ଲେବଲ ମାପିଥିଲେ ବି ଏହା ୯୮ ପ୍ରତିଶତ ଥିବା ସେ କହିଛନ୍ତି। ଏଥିପାଇଁ ସେ ଅକ୍ସିମିଟରର ବ୍ୟବହାର କରିଥିଲେ। ଅକ୍ସିମିଟର ମଣିଷ ଶରୀରରେ ଥିବା ଲାଲ ରକ୍ତ କୋଷିକାର ଅକ୍ସିଜେନ ସାଚ୍ୟୁରେଶନ ମାପିବାକୁ ବ୍ୟବହାର କରାଯାଇଥାଏ । ରବିବାର ଡାକ୍ତର ଲାଟନ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି କି ମାସ୍କ ପିନ୍ଧିଲେ ଅକ୍ସିଜେନ ଲେବଲ କମ୍‌ ହୋଇ ନ ଥାଏ ବରଂ ଏହା କରୋନା ସଂକ୍ରମଣକୁ ରୋକିବାରେ ସହାୟକ ହୋଇଥାଏ।

Share