Categories: ଖେଳ

ଦିନିକିଆରେ ଇଂଲଣ୍ଡର ବିଶ୍ୱ ରେକର୍ଡ

ଆମଷ୍ଟେଲଭିନ(ନେଦରଲାଣ୍ଡ୍ସ), ୧୭।୬: ଦିନିକିଆ କ୍ରିକେଟ ଇତିହାସରେ ଗୋଟିଏ ଇନିଂସରେ ସର୍ବାଧିକ ସ୍କୋର କରି ଇଂଲଣ୍ଡ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଶୁକ୍ରବାର ଅନୁଷ୍ଠିତ ନେଦରଲାଣ୍ଡ୍ସ ବିପକ୍ଷ ଦିନିକିଆରେ ଇଂଲଣ୍ଡ ୪ ଉଇକେଟ ହରାଇ ୪୯୮ ରନକରି ଏହି କୀର୍ତ୍ତିମାନ ସ୍ଥାପନ କରିଛି। ଏ କ୍ଷେତ୍ରରେ ଇଂଲଣ୍ଡ ନିଜ ରେକର୍ଡ ଭାଙ୍ଗିଛି। ୨୦୧୮ ଜୁନ୍‌ରେ ଟ୍ରେଣ୍ଟବ୍ରିଜଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ୪୮୧/୬ ସ୍କୋର କରି ରେକର୍ଡର ଅଧିକାରୀ ଥିଲା।

ନେଦରଲାଣ୍ଡ୍ସ ବିପକ୍ଷରେ ଜୋସ୍‌ ବଟଲର, ଦାଓ୍ବିଦ ମଲନ ଓ ଫିଲ୍‌ ସଲ୍ଟ ଶତକ ହାସଲ କରି ଦଳର ବୃହତ୍‌ ସ୍କୋରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ବଟଲର ୪୭ ବଲ୍‌ରୁ ଶତକ ପୂରଣ କରିଥିଲେ। ଇଂଲଣ୍ଡ ପାଇଁ ଏହା ଦ୍ୱିତୀୟ ଦ୍ରୁତତମ ଶତକ। ସେ ୧୬୨ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ଇନିଂସରେ ସେ ୭ ଚୌକା ଓ ୧୪ ଛକା ମାରିଥିଲେ। ଏହାକୁ ମିଶାଇ ବଟଲର ୩ ଥର ଦ୍ରୁତ ଶତକ ହାସଲ କରିଛନ୍ତି। ପୂର୍ବରୁ ସେ ୪୬ ବଲ୍‌ରେ ଓ ୫୦ ବଲ୍‌ରେ ଶତକ ପୂରଣ କରିଥିଲେ। ସଲ୍ଟ ୯୩ ବଲ୍‌ରୁ ୧୪ ଚୌକା ଓ ୩ ଛକା ସହାୟତାରେ ୧୨୨ ଓ ମଲନ ୧୦୯ ବଲ୍‌ରୁ ୯ ଚୌକା ଓ ୩ ଛକା ସହ ୧୨୫ ରନ କରିଥିଲେ। ଲିଆମ ଲିଭିଂଷ୍ଟୋନ ୨୨ଟି ବଲ୍‌ର ସମ୍ମୁଖୀନ ହୋଇ ୬ଟି ଲେଖାଏ ଚୌକା ଓ ଛକା ସହାୟତାରେ ୬୬ ରନ୍‌ କରି ଅପରାଜିତ ରହିଥିଲେ।

Share