ନର୍ଥ ସାଉଣ୍ଡ (ଆଣ୍ଟିଗୁଆ), ୧୫ା୬ (ଏପି): ଚଳିତ ଆଇସିସି ଟି୨୦ କ୍ରିକେଟ ବିଶ୍ୱକପ୍ର ଗ୍ରୁପ୍ ‘ବି’ରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚରେ ଆଦିଲ ରଶିଦ୍ (୪/୧୧)ଙ୍କ ବୋଲିଂ ସଫଳତାକୁ ପାଥେୟ କରି ଇଂଲଣ୍ଡ ୮ଉଇକେଟରେ ଓମାନକୁ ପରାସ୍ତ କରି ସୁପର-୮ ପାଇଁ ଏହାର ଆଶାକୁ ଉଜ୍ଜୀବିତ ରଖିଛି। ଟସ୍ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ଓମାନ ୧୩.୨ ଓଭରରେ ୪୭ ରନ କରି ଅଲଆଉଟ ହୋଇଯାଇଥିଲା। ଦଳର ଟପ୍ ସ୍କୋରର ସୋଏବ ଖାନ୍ ମାତ୍ର ୧୧ ରନ କରିଥିବା ବେଳେ ଅନ୍ୟ କେହି ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ। ରଶିଦଙ୍କ ବ୍ୟତୀତ ଚମତ୍କାର ବୋଲିଂ କରିଥିବା ଅନ୍ୟ ଦୁଇ ବୋଲର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ ପ୍ରତ୍ୟେକ ୧୨ରନ ଲେଖାଏ ଦେଇ ୩ଟି ଲେଖାଏ ଉଇକେଟ ନେଇଥିଲେ। ୪୮ରନର ସହଜ ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ୩.୧ ଓଭରରେ ୨ ଉଇକେଟ ବିନିମୟରେ ୫୦ ରନ କରି ବିଜୟୀ ହୋଇଥିଲା। ଅଧିନାୟକ ତଥା ଉଇକେଟକିପର ଜୋସ୍ ବଟଲର ୨୪ ରନ କରି ଅପରାଜିତ ରହିଥିଲେ। ଏହି ମ୍ୟାଚ ଇଂଲଣ୍ଡ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ମ୍ୟାଚ ପୂର୍ବରୁ ଦଳର ନେଟ୍ ରନ୍ରେଟ୍ ମାଇନସ ୧.୮୦୦ ରହିଥିଲା। ବର୍ତ୍ତମାନ ଏହା ୩.୦୮ରେ ପହଞ୍ଚତ୍ ଯାଇଥିବା ବେଳେ ସ୍କଟଲାଣ୍ଡ (+୨.୧୬୪)ଠାରୁ ଆଗେଇ ଯାଇଛି। ସ୍କଟଲାଣ୍ଡ ଏହାର ପରବର୍ତ୍ତୀ ମ୍ୟାଚ ୨୦୨୧ ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭେଟିବ। ବର୍ଷା ଯୋଗୁ ମ୍ୟାଚ ଧୋଇଯାଇଥିବାରୁ ସ୍କଟଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରୁ ଇଂଲଣ୍ଡ ଗୋଟିଏ ପଏଣ୍ଟ ପାଇଥିଲା। ଦଳ ପରେ ଅଷ୍ଟ୍ରେଲିଆ ନିକଟରୁ ୩୬ରନରେ ହାରିଯାଇଥିଲା। ଗୁରୁବାର ମ୍ୟାଚରେ ଇଂଲଣ୍ଡ କେବଳ ସହଜ ବିଜୟ ହାସଲ କରି ନାହିଁ ରନ ରେଟ୍ ଦୃଷ୍ଟିିରୁ ବେଶ୍ ଲାଭବାନ ହୋଇଛି।