Categories: ଖେଳ

ଦ୍ୱିତୀୟ ଟେଷ୍ଟ ବିଜୟ ପାଇଁ ୨୧୦ ରନ୍‌

ଓ୍ବେଲିଂଟନ୍‌,୨୭ା୨: ଓ୍ବେଲିଂଟନରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହେବାକୁ ଇଂଲଣ୍ଡକୁ ୨୧୦ ରନ୍‌ ଆବଶ୍ୟକ। ପ୍ରଥମ ଇନିଂସରେ ଫଲୋଅନ୍‌ ପରେ ନ୍ୟୁଜିଲାଣ୍ଡ ୪୮୩ ରନ୍‌ର ବିଶାଳ ସ୍କୋର କରିଥିଲା। ପୂର୍ବତନ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ୧୩୨ ରନ୍‌ର ଇନିଂସ ଖେଳିଥିଲେ। ବିଜୟ ପାଇଁ ୨୫୮ ରନ୍‌ ଆବଶ୍ୟକ ରହିଥିବା ବେଳେ ଚତୁର୍ଥ ଦିନର ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ଗୋଟିଏ ଉଇକେଟ ହରାଇ ୪୮ ରନ୍‌ ସଂଗ୍ରହ କରିଛି।

ତୃତୀୟ ଦିନର ଅସମାପ୍ତ ସ୍କୋର ୨୦୨/୩ରୁ ଖେଳ ଆରମ୍ଭ କରି ଆଉ ୨୮୧ ରନ୍‌ ଯୋଗ କରି ୭ ଉଇକେଟ ହରାଇଥିଲା। ଓ୍ବିଲିୟମସନ୍‌ ୧୩୨ ରନ୍‌ କରି ଫର୍ମକୁ ଫେରିଛନ୍ତି। ପୂର୍ବଦିନ ୨୩ ରନ୍‌ କରି ବ୍ୟାଟିଂ କରୁଥିବା ହେନ୍‌ରୀ ନିକୋଲ୍ସ ଆଉ ୬ ରନ୍‌ ଯୋଡି ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଡାରିଲ ମିଚେଲ୍‌(୫୪) ଓ ଟମ୍‌ ବ୍ଲଣ୍ଡେଲ(୯୦)ଙ୍କୁ ସାଥୀ କରି ଓ୍ବିଲିୟମସନ୍‌ ସ୍କୋର ଆଗକୁ ବଢାଇଥିଲେ। ଟେଷ୍ଟ କ୍ୟାରିୟରରେ ଓ୍ବିଲିୟମ୍‌ସନଙ୍କ ଏହା ଥିଲା ୨୬ ତମ ଶତକ। ଇଂଲଣ୍ଡ ପକ୍ଷରୁ ସ୍ପିନର ଜ୍ୟାକ୍‌ ଲିଚ୍‌ ୫ ଉଇକେଟ ଅକ୍ତିଆର କରିଥିଲେ।

୨୫୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରି ଇଂଲଣ୍ଡ ୧୧ ଓଭର ବ୍ୟାଟିଂ କରିଥିଲା। ଦୁଇ ଓପନର ଜ୍ୟାକ୍‌ କ୍ରଲି ଓ ବେନ୍‌ ଡକେଟ୍‌ ଦଳକୁ ଆଉ ଏକ ଭଲ ଆରମ୍ଭ ଦେଇଥିଲେ। ପ୍ରଥମ ଉଇକେଟରେ ୩୯ ରନ୍‌ ଯୋଡିବା ପରେ ଜ୍ୟାକ୍‌ କ୍ରଲି ୨୪ ରନ୍‌ କରି ଟିମ୍‌ ସାଉଦିଙ୍କ ବଲରେ ବୋଲ୍ଡ ହୋଇଥିଲେ। ଚତୁର୍ଥ ଦିନର ଷ୍ଟମ୍ପ ଖେଳ ସୁଦ୍ଧା ବେନ୍‌ ଡକେଟ୍‌ ୨୩ ଓ ନାଇଟ୍‌ ଓ୍ବାଚମ୍ୟାନ୍‌ ଓଲି ରବିନ୍‌ସନ୍‌ ୧ ରନରେ ବ୍ୟାଟିଂ କରୁଛନ୍ତି।

Share