Categories: ଖେଳ

ବୃହତ୍‌ ବିଜୟ ସହ ଶୀର୍ଷରେ ଇଂଲଣ୍ଡ

କେପ୍‌ ଟାଉନ, ୨୨।୨: ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପର ଗ୍ରୁପ୍‌ ‘ବି’ ଶେଷ ମ୍ୟାଚରେ ଇଂଲଣ୍ଡ ୧୧୪ ରନରେ ପାକିସ୍ତାନକୁ ପରାସ୍ତ କରିଛି। ଫଳରେ ଏହି ଦଳ ୪ ମ୍ୟାଚରୁ ୮ ପଏଣ୍ଟ ପାଇ ଗ୍ରୁପ୍‌ରେ ଶୀର୍ଷସ୍ଥାନ ଦଖଲ କରିଛି। ଭାରତ ସମାନ ସଂଖ୍ୟକ ମ୍ୟାଚ ଖେଳିଥିଲେ ହେଁ ୬ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି। ଫଳରେ ଏହି ଗ୍ରୁପ୍‌ରୁ ଶୀର୍ଷ ୨ ଦଳଭାବେ ଇଂଲଣ୍ଡ ଓ ଭାରତ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଭାରତ ପ୍ରଥମ ସେମିଫାଇନାଲରେ ଗୁରୁବାର ଟାଇଟଲ ଫେଭରାଇଟ ଅଷ୍ଟ୍ରେଲିଆକୁ ଭେଟିବ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ୨୦ ଓଭରରେ ୫ ଉଇକେଟ ହରାଇ ୨୧୩ ରନ କରିଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ୩୩ ରନରେ ୨ଟି ଉଇକେଟ ହରାଇଥିଲେ ହେଁ ନାତାଲି ସ୍କିଭର-ବ୍ରଣ୍ଟଙ୍କ ବିସ୍ଫୋରକ ୮୧ (୪୦ ବଲ, ୧୨ ଚୌକା, ୧ ଛକା) ରନ ସହାୟତାରେ ଦଳ ବଡ଼ ସ୍କୋର ଛିଡ଼ା କରିଥିଲା। ଡାନି ଓ୍ବାଟ ୩୩ ବଲ୍‌ରୁ ୫୯ (୭ ଚୌକା, ୨ ଛକା) ଓ ଆମି ଜୋନ୍ସ ୩୧ ବଲ୍‌ରୁ ୪୭ (୫ ଚୌକା, ୧ ଛକା) ରନ କରିଥିଲେ। ପାକିସ୍ତାନ ବୋଲରଙ୍କ ମଧ୍ୟରେ ଫତିମା ସାନା ୨ଟି ଏବଂ ସାଦିଆ ଇକବାଲ, ନିଦା ଦର ଓ ତୁବା ହାସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ୨୧୪ ରନ ବିଜୟ ଲକ୍ଷ୍ୟରେ ପାକିସ୍ତାନ ୨୦ ଓଭରରେ ୯ ଉଇକେଟ ହରାଇ ୯୯ ରନ କରିବାକୁ ସକ୍ଷମ ହୋଇଥିଲା। ତୁବା ହାସନ ସର୍ବାଧିକ ୨୮ ରନ କରିଥିଲେ। ଇଂଲଣ୍ଡ ପକ୍ଷରୁ କାଥରିନ ସ୍କିଭର-ବ୍ରଣ୍ଟ ଓ ଚାର୍ଲି ଡିନ୍‌ ୨ଟି ଲେଖାଏ ଏବଂ ନାତାଲି ସ୍କିଭର-ବ୍ରଣ୍ଟ, ସାରା ଗ୍ଲେନ ଓ ସୋଫି ଏକଲେଷ୍ଟୋନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ନାତାଲି ସ୍କିଭର-ବ୍ରଣ୍ଟ ପ୍ଲେୟର ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।

Share