Categories: ଖେଳ

ନିୟମ ଭୁଲି ଗଲେ ଇଂଲଣ୍ଡ ଖେଳାଳି

ପୁଣେ,୨୬।୩ : ଭାରତ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ପାଇଁ ଇଂଲଣ୍ଡ ଦଳକୁ ଫିଲ୍ଡ ଅମ୍ପାୟରଙ୍କ ଠାରୁ ମିଳିଛି ଚେତାବନୀ। ସେ ଭୁଲ ବଶତଃ ଭୁଲି ଯାଇଥିଲେ ଆଧୁନିକ କ୍ରିକେଟର ନିୟମ। ଭାରତୀୟ ଦଳ ବ୍ୟାଟିଂ କରୁଥିବା ବେଳେ ଷ୍ଟୋକ୍ସ ବଲରେ ଛେପ ବ୍ୟବହାର କରିଥିଲେ। ଏହି ଘଟଣା ଘଟିଥିଲା ଚତୁର୍ଥ ଓଭରରେ।

ଏହା ପରେ ଫିଲ୍ଡ ଅମ୍ପାୟର ନୀତିନ ମେନନ ଓ ବୀରେନ୍ଦ୍ର ଶର୍ମା ଇଂଲଣ୍ଡ କାମଚଳା ଅଧିନାୟକ ଜୋସ ବଟଲରଙ୍କୁ ଚେତାବନୀ ଦେଇଥିଲେ। ସେହି ଓଭରରେ ଶିଖର ଧାଓ୍ବନଙ୍କ କ୍ୟାଚ୍‌ ଧରି ଥିଲେ ସ୍ଲିପରେ ଫିଲ୍ଡିଂ କରୁଥିବା ଷ୍ଟୋକ୍ସ। ଉଲ୍ଲେଖଯୋଗ୍ୟ, କୋଭିଡ୍‌-୧୯ ପରଠାରୁ ବଲରେ ଛେପର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ଆଇସିସି। ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର (ଏସ୍‌ଓପି) ଅନୁଯାୟୀ, ଖେଳ ଆରମ୍ଭ ହେବା ପୂର୍ବରୁ ଫିଲ୍ଡ ଅମ୍ପାୟର ବଲକୁ ସାନିଟାଇଜ କରିଥିଲେ। ତେବେ ଚଳିତ ସିରିଜ୍‌ରେ ପ୍ରଥମ ଘଟଣା ନୁହେଁ। ଅହମ୍ମଦାବାଦରେ ଖେଳାଯାଇଥିବା ପିଙ୍କ୍‌ ବଲ ଟେଷ୍ଟରେ ମଧ୍ୟ ସମାନ ଭୁଲ କରିଥିଲେ ଷ୍ଟୋକ୍ସ।

Share