Categories: ଖେଳ

୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଖେଳିବେ ଇଂଲଣ୍ଡ ଖେଳାଳି

କରାଚୀ,୧୬ା୯: ୧୭ ବର୍ଷ ପରେ ପାକିସ୍ତାନ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାକୁ ପହଞ୍ଚିଛି ଇଂଲଣ୍ଡ କ୍ରିକେଟ ଦଳ। ଜୋସ ବଟଲରଙ୍କ ନେତୃତ୍ୱାଧୀନ ଦଳ କରାଚୀ ବିମାନ ବନ୍ଦରରେ ଗୁରୁବାର ଅବତରଣ କରିଛି। ସୁରକ୍ଷା କାରଣରୁ କୌଣସି ଦଳ ଆସିବାକୁ ରାଜି ହେଉ ନ ଥିବା ବେଳେ ୨୦୦୫ରେ ଶେଷ ଥର ପାଇଁ ଇଂଲଣ୍ଡ ପାକିସ୍ତାନ ଗସ୍ତରେ ଆସିଥିଲା। ୨୦୨୧ରେ ମଧ୍ୟ ଇଂଲଣ୍ଡର ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା। ତେବେ ଶେଷ ମୁହୂର୍ତ୍ତରେ ଇସିବି ପକ୍ଷରୁ ଏହାକୁ ରଦ୍ଦ କରି ଦିଆଯାଇଥିଲା। ସମାନ ସମୟରେ ନ୍ୟୁଜିଲାଣ୍ଡ ଦଳ ମଧ୍ୟ ପାକିସ୍ତାନ ଗସ୍ତ ବାତିଲ କରିଥିଲା। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୁରକ୍ଷାର ସମସ୍ତ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ ଶେଷ ମୁହୂର୍ତ୍ତରେ ବାତିଲ କରିଥିଲେ ଉଭୟ ଦଳ। ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଦଳ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରଠାରୁ ଏଭଳି ପରିସ୍ଥିତି ଜାରି ରହିଥିଲା।

୨୦୧୨ ଓ ୧୫ରେ ପାକିସ୍ତାନ ସହିତ ଇଂଲଣ୍ଡ ସିରିଜ ଖେଳିଥିଲେ ହେଁ ଉଭୟ ସିରିଜ ୟୁଏଇରେ ଅନୁଷ୍ଠିତ ହୋଇଥିଲା। ବିଶ୍ୱକପ ପୂର୍ବର ପ୍ରସ୍ତୁତି ପାଇଁ ଇଂଲଣ୍ଡ ଦଳ ୭ଟି ଟି୨୦ ମ୍ୟାଚ୍‌ ଖେଳିବ। କରାଚୀ ନ୍ୟାଶନାଲ ଷ୍ଟାଡିୟମରେ ସମସ୍ତ ମ୍ୟାଚ ଖେଳାଯିବ। ମ୍ୟାଚ ସମୟରେ ଷ୍ଟାଡିୟମ ଆଖପାଖରେ ଥିବା ସମସ୍ତ ଅଫିସ ଓ ଦୋକାନ ବନ୍ଦ ରହିବ। ଅନ୍ୟପକ୍ଷରେ ଟିମ୍‌ ହୋଟେଲ ଏବଂ ଷ୍ଟାଡିୟମ ମଧ୍ୟରେ ସମ୍ପୂର୍ଣ୍ଣ ରାସ୍ତାକୁ ବନ୍ଦ କରାଯାଇ ପୋଲିସ ଛାଉଣୀ କରାଯିବ। ଏହା ସହିତ ମ୍ୟାଚ ସମୟରେ ଏକ ହେଲିକପ୍ଟର ଜରିଆରେ ପଡିଆର ଚତୁଃପାର୍ଶ୍ୱ ଉପରେ ନଜର ରଖାଯିବ ବୋଲି ପିସିବି ପକ୍ଷରୁ କୁହାଯାଇଛି।

Share