Categories: ଖେଳ

୩ ଟେଷ୍ଟରୁ ଓହରିଲେ ଗଲେ ବାମହାତୀ ସ୍ପିନର ଜ୍ୟାକ୍‌ ଲିଚ

ଲଣ୍ଡନ,୧୧।୨: ବାମ ଆଣ୍ଠୁରେ ଆଘାତ ଯୋଗୁ ଭାରତ ବିପକ୍ଷ ଅବଶିଷ୍ଟ ୩ ଟେଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି ଇଂଲଣ୍ଡର ବାମହାତୀ ସ୍ପିନର ଜ୍ୟାକ୍‌ ଲିଚ୍‌। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଏହି ବିଷୟରେ ସୂଚନା ଦିଆଯାଇଛି। ତେବେ ତାଙ୍କ ବଦଳରେ ଅନ୍ୟ କୌଣସି ଖେଳାଳିଙ୍କୁ ଡକାଯିବ ନାହିଁ।

ଇଂଲଣ୍ଡ ଟୁର୍‌ର ଅବଶିଷ୍ଟ ୩ ସ୍ପିନର ଟମ୍‌ ହାର୍ଟଲି, ରେହାନ ଅହମଦ ଓ ଶୋଏବ ବଶିରଙ୍କୁ ନେଇ ଖେଳିବ। ଏହି ୩ ନିୟମିତ ସ୍ପିନରଙ୍କ ବ୍ୟତୀତ ଚତୁର୍ଥ ବିକଳ୍ପ ସ୍ପିନର ଭାବେ ଭ୍ରମଣକାରୀ ଦଳ ଜୋ ରୁଟ୍‌ଙ୍କୁ ବ୍ୟବହାର କରିପାରିବ। ହାଇଦ୍ରାବାଦରେ ଇଂଲଣ୍ଡର ପ୍ରଥମ ଟେଷ୍ଟରେ ଲିଚ୍‌ ଆଘାତପ୍ରାପ୍ତ ହୋଇଥିଲେ। ଫଳତଃ ବିଶାଖାପାଟଣାରେ ଅନୁଷ୍ଠିତ ଦ୍ୱିତୀୟ ଟେଷ୍ଟରେ ସେ ଖେଳି ପାରି ନ ଥିଲେ।

ରାଜକୋଟଠାରେ ତୃତୀୟ ଟେଷ୍ଟ ଫେବୃଆରୀ ୧୫ (ଗୁରୁବାର)ରୁ ଆରମ୍ଭ ହେବାକୁଥିବା ବେଳେ ଭ୍ରମଣକାରୀ ଇଂଲଣ୍ଡ ଦଳ ବର୍ତ୍ତମାନ ଆବୁଧାବିରେ ଅଭ୍ୟାସ ଚଳାଇଛି। ଲିଚ୍‌ ସେଠାରୁ ସିଧାସଳଖ ସ୍ବଦେଶ ଫେରିଯିବେ। ସେ ବର୍ତ୍ତମାନ ଇଂଲଣ୍ଡ ଓ ସମରସେଟ୍‌ ମେଡିକାଲ ଟିମ୍‌ ଅଧୀନରେ ଚିକିତ୍ସିତ ହେବେ ବୋଲି ଇସିବି କହିଛି।

Share