Categories: ଖେଳ

ସ୍ବଦେଶ ଫେରିଗଲେ ଇଂଲଣ୍ଡ ଏହି ସ୍ପିନର

ରାଞ୍ଚି,୨୩।୨: ଇଂଲଣ୍ଡ ଯୁବ ସ୍ପିନର ରେହାନ ଅହମଦ ବ୍ୟକ୍ତିଗତ କାରଣରୁ ଘରବାହୁଡ଼ା କରିଛନ୍ତି। ସେ ଭାରତ ବିପକ୍ଷ ଚଳିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଅବଶିଷ୍ଟାଂଶ ଖେଳିବେ ନାହିଁ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଶୁକ୍ରବାର ଏକ ବିବୃତିରେ ପ୍ରକାଶ କରିଛନ୍ତି। ୧୯ ବର୍ଷୀୟ କ୍ରିକେଟର ସିରିଜର ପ୍ରଥମ ୩ ଟେଷ୍ଟରେ ୪୪ ଆଭରେଜରେ ୧୧ ଉଇକେଟ ଅକ୍ତିଆର କରିଛନ୍ତି।

ବିଶାଖାପାଟଣାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ୬ ଉଇକେଟ ସଫଳତା ଅନ୍ୟତମ। ସେ ଜରୁରୀ ପାରିବାରିକ କାରଣରୁ ସ୍ବଦେଶ ଫେରିଥିବା କୁହାଯାଉଛି। ଟୁର୍‌ର ଅବଶିଷ୍ଟାଂଶ ପାଇଁ ଅହମଦଙ୍କ ସ୍ଥାନରେ ଇଂଲଣ୍ଡ ନୂଆ ଖେଳାଳି ସାମିଲ କରିବ ନାହିଁ।

ଇଂଲଣ୍ଡ ଶୁକ୍ରବାର ଚତୁର୍ଥ ଟେଷ୍ଟ ପାଇଁ ଅହମଦଙ୍କ ସ୍ଥାନରେ ଶୋଏବ ବଶିରଙ୍କୁ ସାମିଲ କରିଛି। ୫ ମ୍ୟାଚ ବିଶିଷ୍ଟ ସିରିଜର ଆଉ ଗୋଟିଏ ମ୍ୟାଚ ବାକି ରହିଛି। ଇଂଲଣ୍ଡ ଦଳରେ ଆଉ ଜଣେ ସ୍ପିନର ଅଛନ୍ତି। ସେ ହେଲେ ହାମହାତୀ ଟ୍ବିକର ଟମ୍‌ ହାର୍ଟଲୀ। ଟୁର୍‌ରେ ସେ ସବୁଠାରୁ ଅଧିକ ୧୬ ଉଇକେଟ ନେଇଛନ୍ତି। ଚଳିତମାସ ପ୍ରାରମ୍ଭରେ ଏହି ପାକିସ୍ତାନୀ ବଂଶୋଦ୍ଭବ ତୃତୀୟ ଟେଷ୍ଟ ଖେଳିବା ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରୁ ଆସି ପହଞ୍ଚିବା ପରେ ଭିଜା ସମସ୍ୟାରେ ପଡ଼ିଥିଲେ। ସିରିଜ ମଝିରେ ବିଶ୍ରାମରେ ଭ୍ରମଣକାରୀ ଇଂଲଣ୍ଡ ଦଳ ୟୁଏଇ ଗସ୍ତ କରିବା ଦ୍ୱାରା ଅହମଦଙ୍କ ସିଙ୍ଗଲ ଭିଜା ମିଆଦ ଶେଷ ହୋଇଯାଇଥିଲା। ତାଙ୍କୁ ରାଜକୋଟ ବିମାନବନ୍ଦରରେ ଅଟକାଯାଇଥିଲା। ଭାରତୀୟ ସରକାର ଏବଂ ବିସିସିଆଇର ହସ୍ତକ୍ଷେପ ଯୋଗୁ ସମସ୍ୟାର ସମାଧାନ ହୋଇଥିଲା।

Share