Categories: ଖେଳ

ଇଂଲଣ୍ଡ ବିଜୟୀ, ଫ୍ରାନ୍ସ ପରାସ୍ତ

ବୁଏନ୍‌ସ ଏୟାର୍ସ, ୨୪ା୫ (ପି.ଟି.): ଆର୍ଜେଣ୍ଟିନାରେ ଅନୁଷ୍ଠିତ ୨୦ ବର୍ଷରୁ କମ୍‌ ଫୁଟ୍‌ବଲ ବିଶ୍ୱକପ୍‌ରେ ଦେଖିବାକୁ ମିଳିଛି ଆଉ ଏକ ବିପର୍ଯ୍ୟୟ। ଦକ୍ଷିଣ କୋରିଆ ୨-୧ରେ ଫ୍ରାନ୍ସକୁ ପରାସ୍ତ କରି ସୃଷ୍ଟି କରିଛି ବିପର୍ଯ୍ୟୟ। ସୋମବାର ଇଂଲଣ୍ଡ, ଦକ୍ଷିଣ କୋରିଆ, ଗାମ୍ବିଆ ଓ ଉରୁଗୁଏ ବିଜୟୀ ହୋଇଛନ୍ତି। ଗ୍ରୁପ୍‌ ଇ’ରେ ଇଂଲଣ୍ଡ ଟ୍ୟୁନିସିଆକୁ ୧-୦ରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି। ୧୯ ବର୍ଷରୁ କମ୍‌ ୟୁରୋ କପ୍‌ ଚାମ୍ପିୟନ ଦଳ ସହିତ ଇଂଲଣ୍ଡ ଏହି ଟୁର୍ନାମେଣ୍ଟକୁ ଓହ୍ଲାଇଥିଲା। ଲା ପ୍ଲାଟାରେ ଖେଳିଥିବା ମ୍ୟାଚରେ ଦଳ ଆରମ୍ଭରୁ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ପ୍ରଥମାର୍ଦ୍ଧରେ ଡେନ୍‌ ସେଲ୍ଟରଙ୍କ ହେଡର ଜରିଆରେ ଇଂଲଣ୍ଡ ଅଗ୍ରଣୀ ହାସଲ କରିଥିବା ବେଳେ ଶେଷ ପର୍ଯ୍ୟନ୍ତ ଏହାକୁ ବଜାୟ ରଖିଥିଲା। ଆରମ୍ଭରୁ ଶେଷ ଯାଏ ଆମେ ଖେଳକୁ ନିୟନ୍ତ୍ରଣରେ ରଖିଥିଲୁ ବୋଲି କହିଛନ୍ତି ଇଂଲଣ୍ଡ କୋଚ୍‌ ଇଆନ୍‌ ଫୋଷ୍ଟର। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ବିପକ୍ଷ ମ୍ୟାଚରେ ଫ୍ରାନ୍ସ ଖେଳାଳିଙ୍କ ନିକଟରେ ଆତ୍ମବିଶ୍ୱାସର ଅଭାବ ଦେଖିବାକୁ ମିଳିଥିଲା। କୋରିଆ ଶୃଙ୍ଖଳିତ ଖେଳ ପ୍ରଦର୍ଶନ କରିବା ସହିତ ୨୨ତମ ମିନିଟରେ ଲି ସେଉଙ୍ଗ ଓନ୍‌ ପ୍ରଥମ ଗୋଲ ସ୍କୋର କରିଥିଲେ। ଦ୍ୱିତୀୟାର୍ଦ୍ଧର ୬୪ତମ ମିନିଟରେ ଲି ୟୋଙ୍ଗ ଜୋନ୍‌ଙ୍କ ଗୋଲ ବଳରେ କୋରିଆ ଏହାର ଅଗ୍ରଣୀକୁ ୨-୦ରେ ପହଞ୍ଚାଇ ଥିଲା। ୭୦ ତମ ମିନିଟରେ ଆଲାନ୍‌ ଭିର୍ଜିନିଅସ୍‌ ଫ୍ରାନ୍ସ ପକ୍ଷରୁ ଏକମାତ୍ର ଗୋଲଟି ପରିଶୋଧ କରିଥିଲେ।
ତୃତୀୟ ମ୍ୟାଚରେ ଉରୁଗୁଏ ୪-୦ ଗୋଲରେ ଇରାକକୁ ପରାସ୍ତ କରିଥିଲା। ମାଟିଆସ୍‌ ଆବାଲ୍ଡୋ(୩୮), ଆନ୍ଦ୍ରେସ୍‌ ଫେରାରୀ(୪୮), ହୁସେନ ହସନ ଆମୋୟେଡ ରାସେଟିମ୍‌(୬୨, ଆତ୍ମଘାତୀ) ଓ ଆଲାନ ମାଟୁରୋ(୯୦+୨) ମିନିଟରେ ସ୍କୋର କରିଥିଲେ। ଅନ୍ତିମ ମ୍ୟାଚରେ ଆଫ୍ରିକୀୟ ରାଷ୍ଟ୍ର ଗାମ୍ବିଆ ୨-୧ ଗୋଲ୍‌ରେ ହଣ୍ଡୁରାସକୁ ପରାସ୍ତ କରିଛି। ଦଳ ପକ୍ଷରୁ ଆଡାମା ବୋଜଙ୍ଗ(୧ ଓ ୮୪) ମିନିଟରେ ଡବଲ ଗୋଲ ସ୍କୋର କରିଥିଲେ। ମ୍ୟାଚର ପ୍ରଥମ ମିନିଟରେ ବୋଜଙ୍ଗ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ଏହାର ୪ ମିନିଟ ପରେ ହଣ୍ଡୁରାସ ପକ୍ଷରୁ ମାର୍କୋ ଆସେଟିନୋ ସ୍କୋର କରି ମ୍ୟାଚକୁ ସମାନ୍ତର ସ୍ଥିତିକୁ ଆଣିଥିଲେ। ୮୪ ତମ ମିନିଟରେ ବୋଜଙ୍ଗ ଦ୍ୱିତୀୟ ଗୋଲ ସ୍କୋର କରି ଦଳକୁ ବିଜୟୀ କରିଥିଲେ।

Share