Categories: ଖେଳ

ଆଜି ତୃତୀୟ ଦିନିକିଆ: ଫେୟାରଓ୍ବେଲ ମ୍ୟାଚକୁ ସ୍ମରଣୀୟ ଲକ୍ଷ୍ୟରେ ମହିଳା ଦଳ

ଲଣ୍ଡନ,୨୪ା୯: ଶନିବାର ଲଡର୍‌ସଠାରେ ଭାରତ ଓ ଇଂଲଣ୍ଡ ମହିଳା କ୍ରିକେଟ ଦଳ ମଧ୍ୟରେ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚ ଖେଳାଯିବ। ଇଂଲଣ୍ଡ ମାଟିରେ ସିରିଜରେ କ୍ଲିନ ସୁଇପ୍‌ କରି ଇତିହାସ ସୃଷ୍ଟି କରିବା ସହ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ମହିଳା ଫାଷ୍ଟ ବୋଲର ଝୁଲଣ ଗୋସ୍ବାମୀଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ଫେୟାରଓ୍ବେଲକୁ ଅଧିକ ସ୍ମରଣୀୟ କରିବା ଲକ୍ଷ୍ୟ ନେଇ ଖେଳିବ ଭାରତ। ଲଡର୍‌ସ ଗ୍ରାଉଣ୍ଡରେ ମ୍ୟାଚ ଖେଳିବା ଲାଗି ଜଣେ କ୍ରିକେଟର ପାଇଁ ଏକ ବଡ଼ ସ୍ବପ୍ନ ଥାଏ। ଏହି ଗ୍ରାଉଣ୍ଡରେ ଏକ ଶତକ କିମ୍ବା ୫ ଉଇକେଟ ସଫଳତା ହାସଲ କରିବା ଏକ ସମ୍ମାନର କଥା। ମାତ୍ର ଜଣେ କ୍ୟାରିୟରର ଫେୟାରଓ୍ବେଲ ମ୍ୟାଚ ଏହି ପଡ଼ିଆରେ ଖେଳିବା ଭିନ୍ନ କଥା। ସୁନୀଲ ଗାଭାସ୍କର ଯଦିଓ ତାଙ୍କର ଅନ୍ତିମ ପ୍ରଥମଶ୍ରେଣୀ ମ୍ୟାଚ ଖେଳିଛନ୍ତି, ସେ ଏହି ସୁଯୋଗ ପାଇନାହାନ୍ତି। କ୍ୟାରିୟରର ଅନ୍ତିମ ଖେଳ ଦିବସରେ ମର୍ଯ୍ୟାଦାପୂର୍ଣ୍ଣ ଲଙ୍ଗରୁମ୍‌ରୁ ପଡ଼ିଆକୁ ଓହ୍ଲାଇବା ସୁଯୋଗ ସଚିନ ତେନ୍ଦୁଲକର ହୁଅନ୍ତୁ କିମ୍ବା ବ୍ରାଏନ ଲାରା ଅବା ଗ୍ଲେନ୍‌ ମ୍ୟାକ୍‌ଗ୍ରାଙ୍କ କ୍ଷେତ୍ରରେ ମିଳିନାହିଁ। ଘଟଣାକ୍ରମେ ହେଉ ଅବା ଭାଗ୍ୟ ଲଡର୍‌ସରେ ଝୁଲଣ ତାଙ୍କ ବିଦୟୀ ମ୍ୟାଚ ଖେଳିବାକୁ ଯାଉଛନ୍ତି। ଭାରତ ସିରିଜରେ ଅପରାଜେୟ ସହ ୨-୦ରେ ଆଗୁଆ ରହିଛି। ଶନିବାର ତୃତୀୟ ଦିନିକିଆରେ ବିଜୟ ସହ ଭାରତୀୟ କ୍ରିକେଟର ଅନ୍ୟତମ ‘ପୋଷ୍ଟର ଗର୍ଲ’ଙ୍କୁ ସ୍ମରଣୀୟ ବିଦାୟୀ ଦେବାକୁ ଆପ୍ରାଣ ଉଦ୍ୟମ କରିବ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଦଳ।

Share