Categories: ଖେଳ

ହେଡିଂଲେରେ ଜିତିଲା ଇଂଲଣ୍ଡ

ହେଡିଂଲେ, ୧୦ା୭: କ୍ରମାଗତ ଦୁଇଟି ମ୍ୟାଚରେ ବାଜବଲ୍‌ ଫେଲ୍‌ ମାରିବା ପରେ ହେଡିଂଲେରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ଇଂଲଣ୍ଡ। ହ୍ୟାରୀ ବ୍ରୁକ୍‌ଙ୍କ ଜବରଦସ୍ତ ଅର୍ଦ୍ଧଶତକ ସହିତ ନିମ୍ନକ୍ରମରେ କ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌ଙ୍କ ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆକୁ ୩ ଉଇକେଟରେ ପରାସ୍ତ କରିଛି ଇଂଲଣ୍ଡ। ଏହା ସହିତ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଦଳ ୧-୨ରେ ପଛୁଆ ରହିଛି। ବିଜୟ ପାଇଁ ୨୫୧ ରନ୍‌ ଆବଶ୍ୟକ ଥିବା ବେଳେ ଇଂଲଣ୍ଡ ଆଉଥରେ ସକରାତ୍ମକ କ୍ରିକେଟ ଖେଳିଥିଲା।
ତୃତୀୟ ଦିନର ଅସମାପ୍ତ ସ୍କୋର ୨୭/୦ ରୁ ଖେଳ ଆରମ୍ଭ କରି ଇଂଲଣ୍ଡ ଆଉ ୧୫ ରନ ଯୋଡିବା ପରେ ବେନ୍‌ ଡକେଟ୍‌ଙ୍କ ଉଇକେଟ ହରାଇଥିଲା। ମୋଇନ୍‌ ଅଲୀ ୫ ଓ ଜୋ ରୁଟ୍‌ ୨୧ ବିଶେଷ କିଛି କରି ପାରି ନ ଥିବା ବେଳେ ହ୍ୟାରୀ ବ୍ରୁକ୍‌ ଖେଳିଥିଲେ ୭୫ ରନ୍‌ର ଚମତ୍କାର ଇନିଂସ। ବେନ୍‌ ଷ୍ଟୋକ୍ସ(୧୩) ଓ ଜନି ବେୟାରଷ୍ଟୋ(୫) ମାତ୍ର ୧୦ ରନ୍‌ ବ୍ୟବଧାନରେ ପ୍ୟାଭିଲିୟନ୍‌ ଫେରବାରୁ ଇଂଲଣ୍ଡ ୧୭୧ ରନ୍‌ରେ ୬ ଉଇକେଟ ହରାଇଥିଲା। ବ୍ରୁକ୍ସ କିନ୍ତୁ ଆକ୍ରମଣାତ୍ମକ ବ୍ୟାଟିଂ କରିବା ସହିତ କ୍ରିସ୍‌ ଓକ୍ସ(୩୨*)ଙ୍କୁ ସାଥୀ କରି ୫୯ ରନ୍‌ ଯୋଡିଥିଲେ। ୯୩ ବଲ୍‌ ଖେଳି ବ୍ରୁକ୍‌ ୯ ଚୌକା ମାରିଥିଲେ। ବିଜୟ ପାଇଁ ୨୧ ରନ୍‌ ଆବଶ୍ୟକ ଥିବା ବେଳେ ବଡ ଶଟ୍‌ ଖେଳିବାକୁ ଯାଇ ବ୍ରୁକ୍‌ ଆଉଟ ହୋଇଥିଲେ। ତେବେ କ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌ ୧୬* ରହି ଦଳକୁ ବିଜୟୀ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍‌ ଷ୍ଟାର୍କ ଘାତକ ବୋଲିଂ କରି ୫ ଉଇକେଟ ନେଇଥିଲେ। ୮୦ ତମ ଟେଷ୍ଟରେ ଏହା ଷ୍ଟାର୍କଙ୍କର ୧୪ତମ ୫ ଉଇକେଟ ସଫଳତା। ଅନ୍ୟମାନଙ୍କ ମଧ୍ୟରେ ପ୍ୟାଟ କୁମିନ୍ସ ଓ ମିଚେଲ ମାର୍ଶ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଅଲରାଉଣ୍ଡ ସଫଳତା (୪୧ ରନ୍‌ ଓ ୭ ଉଇକେଟ) ପାଇଁ ମାର୍କ ଉଡ୍‌ଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ ୍‌ଘୋଷଣା କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୬୩ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୭ ରନ୍‌ ପଛରେ ରହିଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୨୪ ରନ୍‌ରେ ଅଲଆଉଟ ହେବା ସହିତ ୨୫୧ ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ସଂକ୍ଷିପ୍ତ ସ୍କୋର
ଅଷ୍ଟ୍ରେଲିଆ ପ୍ରଥମ ଇନିଂସ-୨୬୩/୧୦। ଇଂଲଣ୍ଡ ପ୍ରଥମ ଇନିଂସ-୨୩୭/୧୦। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ-୨୨୪/୧୦। ଇଂଲଣ୍ଡ ଦ୍ୱିତୀୟ ଇନିଂସ-୨୫୪/୭(ହ୍ୟାରୀ ବ୍ରୁକ୍‌-୭୫, ଜ୍ୟାକ୍‌ କ୍ରଲି-୪୪, କ୍ରିସ୍‌ ଓକ୍ସ-୩୨*, ମିଚେଲ୍‌ ଷ୍ଟାର୍କ-୫/୭୮, ମିଚେଲ୍‌ ମାର୍ଶ-୧/୨୩, ପ୍ୟାଟ୍‌ କୁମିନ୍ସ-୧/୭୭)।

Share