Categories: ଖେଳ

ପାକିସ୍ତାନକୁ ହରାଇଲା ଇଂଲଣ୍ଡ

ରାଓ୍ବଲପିଣ୍ଡି, ୬ା୧୨: ପାକିସ୍ତାନ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ମ୍ୟାଚକୁ ଇଂଲଣ୍ଡ ୭୪ରନରେ ଜିତିନେଇଛି। ସୋମବାର ମ୍ୟାଚର ୫ମ ତଥା ଅନ୍ତିମ ଦିବସରେ ପାକିସ୍ତାନ ହାତରେ ୮ ଉଇକେଟ ଥାଇ ବିଜୟ ପାଇଁ ୨୬୩ ରନ ଆବଶ୍ୟକ କରୁଥିଲା। ଦଳ କିନ୍ତୁ ଜେମ୍ସ ଆଣ୍ଡରସନ (୪/୩୬) ଓ ପ୍ଲେୟର ଅଫ୍‌ ଦି ମ୍ୟାଚ ଓଲି ରବିନସନ (୪/୫୦)ଙ୍କ ବୋଲିଂର ମୁକାବିଲା କରି ନ ପାରି ପୂର୍ବଦିନର ଅସମାପ୍ତ ସ୍କୋର ୮୦/୨ରୁ ଖେଳ ଆରମ୍ଭ କରିଥିବା ପାକିସ୍ତାନର ଦ୍ୱିତୀୟ ଇନିଂସ ୨୬୮ରନରେ ସୀମିତ ହୋଇଯାଇଥିଲା। ଫାଇନାଲ ସେସନ ଖେଳ ଆରମ୍ଭ ପୂର୍ବରୁ ପାକିସ୍ତାନର ସ୍କୋର ୨୫୭/୫ ରହିଥିଲା। ଚା’ପାନ ବିରତି ପରେ ଦଳର ଶେଷ ୫ ଉଇକେଟ ୧୧ରନରେ ପତନ ଘଟିଥିଲା। ଆଣ୍ଡରସନ ଓ ରବିନ୍‌ସନ ଉଭୟେ ପୁରୁଣା ବଲ୍‌ରେ ବିପକ୍ଷ ଦଳର କ୍ଷତି ଘଟାଇଥିଲେ। ଇଂଲଣ୍ଡ ଅଧିନାୟକ ବେନ୍‌ ଷ୍ଟୋକ୍ସ ଆକ୍ରମଣାତ୍ମକ ଫିଲ୍‌ଡିଂ ସଜାଇଥିଲେ। ପାକିସ୍ତାନର ଅନ୍ୟତମ ପଦାର୍ପଣ ଖେଳାଳି ସାଉଦ୍‌ ଶକିଲ ଦଳ ପକ୍ଷରୁ ସର୍ବାଧିକ ୭୬ ରନ ସଂଗ୍ରହ କରିଥିଲେ। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ପ୍ରଥମ ଇନିଂସରେ ୬୫୭ ରନ କରିଥିଲା। ଜବାବରେ ପାକିସ୍ତାନ ୫୭୯ ରନ କରି ୮୭ରନ ପଛୁଆ ରହିଥିଲା। ଘାସ ବିହୀନ ପିଚ୍‌ରେ ଉଭୟ ଦଳ ମୋଟ ୭ଜଣ ବ୍ୟାଟର ଶତକ ହାସଲ କରିଥିଲେ। ଚତୁର୍ଥ ଦିବସ ଖେଳରେ ଇଂଲଣ୍ଡ ମାତ୍ର ୩୫.୫ ଓଭରରେ ୨୬୪/୭ ସ୍କୋର କରି ଏହାର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ଫଳରେ ପାକିସ୍ତାନ ପାଇଁ ୪ଟି ସେସନରେ ୩୪୩ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ପ୍ରଥମ ଇନିଂସ: ୬୫୭
ପାକିସ୍ତାନ ପ୍ରଥମ ଇନିଂସ: ୫୭୯
ଇଂଲଣ୍ଡ ଦ୍ୱିତୀୟ ଇନିଂସ: ୨୬୪/୭, ଘୋଷଣା।
ପାକିସ୍ତାନ ଦ୍ୱିତୀୟ ଇନିଂସ: ୨୬୮/ଅଲଆଉଟ (ସାଉଦ ଶକିଲ-୭୬, ମହମ୍ମଦ ରିଜଓ୍ବାନ୍‌-୪୬, ଇମାମୁଲ ହକ୍‌-୪୮, ଆଝାର ଅଲି-୪୦; ଜେମ୍ସ ଆଣ୍ଡରସନ-୪/୩୬, ଓଲି ରବିନସନ-୪/୫୦)।

Share