Categories: ଖେଳ

ଇଂଲଣ୍ଡ ବିଶ୍ୱକପ୍‌ ବିଜେତା ଫୁଟବଲର ଚାର୍ଲଟନଙ୍କ ପରଲୋକ

ଲଣ୍ଡନ,୧୧।୭(ଏପି): ଇଂଲଣ୍ଡ କିମ୍ବଦନ୍ତୀ ଫୁଟବଲର ତଥା ସେଣ୍ଟ୍ରାଲ ଡିଫେଣ୍ଡର ଜ୍ୟାକ୍‌ ଚାର୍ଲଟନ ୮୫ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି। ବିଗ୍‌ ଜ୍ୟାକ୍‌ ନାମରେ ପରିଚିତ ଥିବା ଚାର୍ଲଟନ ଶୁକ୍ରବାର ନର୍ଥଉମ୍ବରଲାଣ୍ଡସ୍ଥିତ ତାଙ୍କ ବାସଭବନରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।
୧୯୬୬ ଫିଫା ବିଶ୍ୱକପ୍‌ରେ ଚାର୍ଲଟନ ନିଜ ଭାଇ ବବିଙ୍କ ସହ ଇଂଲଣ୍ଡ ତରଫରୁ ପ୍ରତିନିଧିତ୍ୱ କରିଥିଲେ ଓ ଦମ୍‌ଦାର ପ୍ରଦର୍ଶନ ଦଳକୁ ଚାମ୍ପିୟନ କରାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଅବସର ନେବାପରେ ସେ ଆୟର୍ଲାଣ୍ଡର କୋଚ୍‌ ଭାବେ ଦାୟିତ୍ୱ ଗ୍ରହଣ କରି ବେଶ୍‌ ସଫଳ ରହିଥିଲେ। ୧୯୬୭ରେ ତାଙ୍କୁ ଇଂଲଣ୍ଡର ଫୁଟବଲର ଅଫ୍‌ ଦି ଇୟର ବିବେଚନା କରାଯାଇଥିଲା। ୧୯୫୨ରୁ ୭୩ ମଧ୍ୟରେ ସେ ଲିଡ୍ସ ତରଫରୁ କ୍ଲବ୍‌ ଫୁଟବଲ ଖେଳିଥିଲେ। ଏହି କ୍ଲବ ତରଫରୁ ୭୭୩ଟି ମ୍ୟାଚ୍‌ ଖେଳି ସର୍ବକାଳୀନ ରେକର୍ଡ ସ୍ଥାପନ କରିଥିଲେ। ତାଙ୍କ ସମୟରେ ସେ ସବୁ ଘରୋଇ ସମ୍ମାନର ଅଧିକାରୀ ହୋଇଥିଲେ। ୧୯୬୯ରେ ଲିଗ୍‌ ଟାଇଟଲ ମଧ୍ୟ ମିଳିଥିଲା। ତାଙ୍କ ପରଲୋକରେ ଇଂଲଣ୍ଡ ଫୁଟବଲରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ଇଂଲଣ୍ଡ ଟିମ୍‌ ଟୁଇଟର ଏକାଉଣ୍ଟରେ ଉଲ୍ଲେଖ କରାଯାଇଛି। ୧୯୬୬ ବିଶ୍ୱକପ୍‌ରେ ଇଂଲଣ୍ଡ ଫାଇନାଲରେ ଜର୍ମାନୀକୁ ଅତିରିକ୍ତ ସମୟ ପରେ ୪-୨ରେ ହରାଇଥିଲା। ଏହା ଥିଲା ତାଙ୍କ କ୍ୟାରିୟର ଓ ଜୀବନର ସବୁଠାରୁ ରୋମାଞ୍ଚକ ଓ ବଡ଼ ସଫଳତା।
ତାଙ୍କ ସାନଭାଇ ବବି ମିଡ୍‌ଫିଲ୍ଡରେ ଖେଳୁଥିଲେ। ୧୯୬୫ରୁ ୭୦ ମଧ୍ୟରେ ଇଂଲଣ୍ଡ ପାଇଁ ଚାର୍ଲଟନ ୩୫ଟି ମ୍ୟାଚ୍‌ ଖେଳି ୬ଟି ଗୋଲ ସ୍କୋର କରିଥିଲେ। ସେ ୧୯୬୮ ୟୁରୋପିଆନ ଚାମ୍ପିୟନଶିପ୍‌ ଓ ୧୯୭୦ ବିଶ୍ୱକପ୍‌ ମଧ୍ୟ ଖେଳିଥିଲେ। ତାଙ୍କ କୋଚିଂରେ ଆୟର୍ଲାଣ୍ଡ ଅଶାତୀତ ସଫଳତା ହାସଲ କରିଥିଲା। ଫଳରେ ତାଙ୍କରୁ ସମ୍ମାନଜନକ ଆୟର୍ଲାଣ୍ଡର ନାଗରିକତା ପ୍ରଦାନ କରାଯାଇଥିଲା। ଇଂଲଣ୍ଡର ସହିତ ସମାନ ଭାବେ ମୁଁ ଆୟର୍ଲାଣ୍ଡର ନାଗରିକ ବୋଲି ସେ କହିଥିଲେ। ସର୍ବକାଳୀନ ସେଣ୍ଟ୍ରାଲ ଡିଫେଣ୍ଡର ଭାବେ ସେ ବେଶ୍‌ ଜଣାଶୁଣା।

Share