Categories: ଖେଳ

ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ଅଣ୍ଡରଉଡ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ, ୧୬ା୪ (ପି.ଟି.): ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡର ଶ୍ରେଷ୍ଠ ସ୍ପିନର ବିବେଚନା କରାଯାଉଥିବା ଡେରିକ୍‌ ଅଣ୍ଡରଉଡ୍‌ଙ୍କର କେଣ୍ଟଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୮ବର୍ଷ ବୟସ ହୋଇଥିଲା। ତାଙ୍କ ସମୟରେ ସେ କିମ୍ବଦନ୍ତୀ ସୁନୀଲ ଗାଭାସ୍କରଙ୍କ ଭଳି ବ୍ୟାଟରଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ଅଣ୍ଡରଉଡ ହେଉଛନ୍ତି ବାମହାତୀ ଧିମା ରକ୍ଷଣଶୀଳ ସ୍ପିନ ବୋଲର। ୬୦ଦଶକରୁ ୭୦ ଦଶକ ମଧ୍ୟରେ ସେ ଲକ୍ଷ୍ୟଭେଦୀ ବୋଲିଂ ପରି ବ୍ୟାଟରମାନଙ୍କୁ ସମସ୍ୟାରେ ପକାଉଥିଲେ। ଅଣ୍ଡରଉଡ୍‌ ୮୬ ଟେଷ୍ଟ ମ୍ୟାଚ ଖେଳି ୨୯୭ ଉଇକେଟ ଅକ୍ତିଆର କରିଛନ୍ତି। ଜଣେ ଇଂଲଣ୍ଡ ସ୍ପିନର ଭାବେ ଏହା ସର୍ବାଧିକ। ସେ ତାଙ୍କ ଦୀର୍ଘ ୨୪ ବର୍ଷର ପ୍ରଥମଶ୍ରେଣୀ କ୍ୟାରିୟରରେ ୨,୪୬୫ ଉଇକେଟ ଅକ୍ତିଆର କରିବାରେ ସମର୍ଥ ହୋଇଛନ୍ତି। ଅଣ୍ଡରଉଡଙ୍କ କ୍ୟାରିୟରର ସବୁଠାରୁ ଉଲ୍ଲେଖନୀୟ ମୁହୂର୍ତ୍ତ ଥିଲା ୧୯୭୭ରେ, ଯେତେବେଳେ ସେ ଭାରତ ବିପକ୍ଷରେ ୨୯ ଉଇକେଟ ଅକ୍ତିଆର କରିଥିଲେ। ଇଂଲଣ୍ଡ ୫ ମ୍ୟାଚ ବିଶିଷ୍ଟ ସିରିଜ ୩-୧ରେ ବିଜୟ ଲାଭ କରିଥିଲା। ୧୯୩୩-୩୪ରେ କିମ୍ବଦନ୍ତୀ ଡଗଲାସ ଜାର୍ଡିନଙ୍କ ନେୃତ୍ୱରେ ଭାରତ ଟୁର୍‌ ପରେ ଇଂଲଣ୍ଡର ଏହାର ପ୍ରଥମ ସିରିଜ ବିଜୟ ଥିଲା। ଅଣ୍ଡରଉଡ୍‌ ଟେଷ୍ଟ କ୍ରିକେଟରେ ଜଣେ ବୋଲର ହିସାବରେ ସେ ଗାଭାସ୍କରଙ୍କୁ ସର୍ବାଧିକ ୧୨ଥର ଆଉଟ କରିଥିଲେ। ଖେଳର ସବୁଠାରୁ ଲମ୍ବା ଫର୍ମା ଫର୍ମାଟରେ ତାଙ୍କ ପଛକୁ ଲିଟଲ ମାଷ୍ଟରଙ୍କୁ ୧୧ଥର ଲେଖାଏଁ ଆଉଟ କରିଥିବା ବୋଲର ଦ୍ୱୟ ହେଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇମ୍ରାନ ଖାନ୍‌ ଓ ଓ୍ବେଷ୍ଟଇଣ୍ଡିଆନ ଫାଷ୍ଟ ବୋଲିଂ କିମ୍ବଦନ୍ତୀ ମାଇକେଲ ହୋଲ୍‌ଡିଂ। ଗାଭାସ୍କର ନିଜେ ମଧ୍ୟ ଅଣ୍ଡଉଡ୍‌ଙ୍କ ବୋଲିଂ ଆଗରେ ହାର ମାନିଥିଲେ। ଅଣ୍ଡରଉଡ ନିଖୁଣ ଲକ୍ଷ୍ୟଭେଦୀ ବୋଲିଂ କରିଥାନ୍ତି। ତାଙ୍କୁ ଯେକୌଣସି କଣ୍ଡିଶନରେ ସାମ୍‌ନା କରିବା କଷ୍ଟସାଧ୍ୟ ହୋଇଥାଏ। ଗାଭାସ୍କର ନିକଟରେ କହିଥିଲେ ଓ୍ବେଷ୍ଟଇଣ୍ଡିଆନ ଆଣ୍ଡି ରବଟର୍‌ସଙ୍କ ପରେ ତାଙ୍କ କ୍ୟାରିୟରରେ ସେ ସାମ୍‌ନା କରିଥିବା କଠିନ ବୋଲର ହେଉଛନ୍ତି ଅଣ୍ଡରଉଡ୍‌।

Share