ଚେନ୍ନାଇ,୧୨।୨: ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ ଖେଳି ପାରିବେ ନାହିଁ। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏକ ବିବୃତ୍ତିରେ କହିଛି ଯେ ଶନିବାରଠାରୁ ଚେନ୍ନାଇରେ ଡାହାଣ କହୁଣୀ ଯନ୍ତ୍ରଣା ହେତୁ ଜୋଫ୍ରା ଆର୍ଚର ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବେ ନାହିଁ। ଇସିବି ସ୍ପଷ୍ଟ କରିଛି ଯେ ଏହି ମାମଲା ପୂର୍ବର କୌଣସି ଆଘାତ ସହ ଜଡିତ ନୁହେଁ ଏବଂ ଚିକିତ୍ସା ଦ୍ୱାରା ଏହା ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି ଏବଂ ଜୋଫ୍ରା ଅହମ୍ମଦାବାଦରେ ହେବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚକୁ ଫେରିବେ ବୋଲି ଇସିବି ପକ୍ଷରୁ କୁହାଯାଇଛି। ଆର୍ଚରଙ୍କ ଦଳରୁ ବିଦା ହେବା ପରେ ଏକାଦଶରେ ଭେଟେରାନ ଷ୍ଟୁଆର୍ଟ ବ୍ରଡଙ୍କୁ ଚୟନ କରାଯିବ। ପ୍ରଥମ ଟେଷ୍ଟ ଜିତିବା ପରେ ଚାରି ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ରେ ଆଗୁଆ ରହିଛି।