ଲଣ୍ଡନ, ୬ା୫ : ବିଭିନ୍ନ ଫ୍ରାଞ୍ଚାଇଜର କିଛି ଖେଳାଳି ଓ ମ୍ୟାନେଜମେଣ୍ଟ ଷ୍ଟାଫ କୋଭିଡ୍ ଆକ୍ରାନ୍ତ ହେବାରୁ ଇଣ୍ଡିଆନ ପ୍ରିମିୟର ଲିଗ୍ର ୧୪ତମ ସଂସ୍କରଣ ସ୍ଥଗିତ କରି ଦିଆଯାଇଛି। ଲିଗ୍ର ଅବଶିଷ୍ଟ ୩୧ ମ୍ୟାଚ୍ ଆୟୋଜନ କରିବା ପାଇଁ ଇଚ୍ଛା ପ୍ରକଟ କରିଛନ୍ତି ଆଗ ଧାଡ଼ିର ୪ ଇଂଲିଶ କାଉଣ୍ଟି କ୍ଲବ। ଏହି ତାଲିକାରେ ମିଡଲସେକ୍ସ, ସରେ, ଓ୍ବାରଓ୍ବିକଶାୟାର ଓ ଲାନକାଶାୟାର ରହିଛନ୍ତି।
ଚଳିତ ବର୍ଷ ପରବର୍ତ୍ତୀ ଭାଗରେ କରୋନାର ତୃତୀୟ ଲହର ଆସିବାକୁ ଥିବାରୁ ଭାରତରେ ଆଉ ଆଇପିଏଲ ଖେଳାଯାଇ ପାରିବ ନାହିଁ। ଏଣୁ ସେପ୍ଟେମ୍ବରରେ ଭାରତ ଓ ଇଂଲଣ୍ଡ ଗସ୍ତ ଶେଷ ହେବା ପରେ ବିସିସିଆଇ ଆଇପିଏଲର ବଳକା ମ୍ୟାଚ୍ ଆୟୋଜନ କରିବାକୁ ଚିନ୍ତା କରୁଛି। ଭାରତୀୟ ଦଳର ଇଂଲଣ୍ଡ ଗସ୍ତ ସେପ୍ଟେମ୍ବର ୧୪ ତାରିଖରେ ଶେଷ ହେବ।
ଲଡର୍ସ ଓ ଓଭାଲ (ଉଭୟ ଲଣ୍ଡନରେ), ଏଜବାଷ୍ଟନ (ବର୍ମିଂହାମ) ଓ ଓଲ୍ଡ ଟ୍ରାଫର୍ଡ (ମାଞ୍ଚେଷ୍ଟର) ଆଇପିଏଲର ବଳକା ମ୍ୟାଚ୍ ଆୟୋଜନ ପାଇଁ ଇଚ୍ଛୁକ ଥିବା ଇସିବିକୁ ଜଣାଇଛନ୍ତି। ଇଏସ୍ପିଏନ୍ କ୍ରିକ୍ଇନ୍ଫୋରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ଟୁର୍ନାମେଣ୍ଟକୁ ପ୍ରାୟ ଦୁଇ ସପ୍ତାହରେ ଶେଷ କରିବାକୁ ଯୋଜନା କରାଯିବ। ତେବେ ଲିଗ୍କୁ ଶେଷ କରିବା ପାଇଁ ୨୦ ଦିନିଆ ଗ୍ୟାପ ଖୋଜୁଛି ବିସିସିଆଇ। ଏଥିରେ ବହୁ ସଂଖ୍ୟାରେ ଡବଲ୍ ମ୍ୟାଚ୍ ଖେଳାଯିବ। ଏ ସମ୍ପର୍କରେ ବିସିସିଆଇ ଓ ଇସିବିର ପ୍ରତିନିଧି ଆଲୋଚନା କରିବେ।