ସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ଇଂଲିଶ

ଭୁବନେଶ୍ୱର, ୧୪।୨(ବ୍ୟୁରୋ): ଏଣିକି ସରକାରୀ ସ୍କୁଲରେ ପିଲାମାନେ ପ୍ରଥମ ଶ୍ରେଣୀରୁ ଇଂଲିଶ ପାଠ ପଢ଼ିବେ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଥିବା ୧୦୦ଟି ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ସ୍କୁଲରେ ଇଂଲିଶ ବିଷୟକୁ ସାମିଲ କରାଯିବ। ଶନିବାର ଏ ସଂକ୍ରାନ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି ଯେ, ପିଲାଙ୍କ ମଧ୍ୟରେ କମୁନିକେଶନ ସ୍କିଲ୍‌ ବୃଦ୍ଧି କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ୧୦୦ଟି ସ୍କୁଲରେ ପ୍ରଥମ ଶ୍ରେଣୀରେ ଇଂଲିଶ ବିଷୟକୁ ସାମିଲ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ଏସ୍‌ସିଇଆର୍‌ଟିକୁ କୁହାଯାଇଛି। ୨୦୨୧-୨୨ ଶିକ୍ଷାବର୍ଷରୁ ଏହା ଲାଗୁ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା)ର ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, ସରକାରଙ୍କ ଏହି ପଦକ୍ଷେପ ସ୍ବାଗତଯୋଗ୍ୟ। ତେବେ ପ୍ରଥମ ଶ୍ରେଣୀରୁ ଇଂଲିଶର ଆବଶ୍ୟକତା ନାହିଁ। ପ୍ରଥମ ଶ୍ରେଣୀରେ ପିଲା ଓଡ଼ିଆ ପଢ଼ୁ, ଦ୍ୱିତୀୟ ଶ୍ରେଣୀରୁ ଇଂଲିଶ ରଖାଗଲେ ଭଲ ହୁଅନ୍ତା। ଏହାଛଡ଼ା ରାଜ୍ୟରେ ଏବେ ବି ଅନେକ ସ୍କୁଲରେ ଇଂଲିଶ ଶିକ୍ଷକ ନାହାନ୍ତି। ତେଣୁ ପ୍ରଥମେ ଶିକ୍ଷକ ପଦବୀ ପୂରଣ କରିବା ଉପରେ ଗୁରୁତ୍ୱ ଦିଆଯାଉ ବୋଲି ମହାନ୍ତି କହିଛନ୍ତି। ଉଲ୍ଲେଖଯୋଗ୍ୟ, ବର୍ତ୍ତମାନ ସରକାରୀ ସ୍କୁଲରେ ତୃତୀୟ ଶ୍ରେଣୀରୁ ପିଲାଙ୍କୁ ଇଂଲିଶ ପଢ଼ାଯାଉଛି।

Share