ଓ୍ବାଶିଂଟନ,୧।୩:ଆମେରିକାରେ ସଂଘୀୟ ସ୍ତରରେ କୌଣସି ଭାଷାକୁ ସରକାରୀ ମାନ୍ୟତା ଦିଆଯାଇ ନାହିଁ। ଇଂଲିଶକୁ ବହୁଳ ଭାବେ ବ୍ୟବହାର କରାଯାଉଥିବାବେଳେ ଏହାକୁ ସରକାରୀ ଭାଷା ମାନ୍ୟତା ଦେବା ପାଇଁ ଅନେକ ରାଜ୍ୟରେ ଦାବି ଉଠୁଥିଲା। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖୁବ୍ଶୀଘ୍ର ଏ ସଂକ୍ରାନ୍ତ ଏକ ଅର୍ଡରରେ ସ୍ବାକ୍ଷର କରିବାକୁ ଯାଉଛନ୍ତି ବୋଲି ହ୍ବାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି। ଇଂଲିଶ ଆମେରିକାର ସରକାରୀ ଭାଷା ମାନ୍ୟତା ପାଇବା ପରେ ସଂଘୀୟ ପାଣ୍ଠିରେ ଚାଲିଥିବା ସରକାରୀ ଅଫିସ୍ ଓ ସଂସ୍ଥାଗୁଡ଼ିକରେ ଇଂଲିଶ ଭାଷା ବ୍ୟବହାର ହେବ। ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନଙ୍କ ଅମଳରେ ଅଣଇଂଲିଶଭାଷୀଙ୍କୁ ଭାଷାଗତ ସହାୟତା ନିମନ୍ତେ ଦିଆଯାଉଥିବା ସଂଘୀୟ ପାଣ୍ଠି ଉଚ୍ଛେଦ ହେବ। ଇଂଲିଶ ଜାତୀୟ ଭାଷା ରୂପେ ବିବେଚିତ ହେବା ପରେ ଏକତାକୁ ପ୍ରୋତ୍ସାହନ ମିଳିବା ସହ ସରକାରୀ କାର୍ଯ୍ୟରେ ଦକ୍ଷତା ବୃଦ୍ଧି ଏବଂ ନାଗରିକଙ୍କ ଯୋଗାଯୋଗ ନିମନ୍ତେ ପଥ ଖୋଲିଯିବ ବୋଲି ହ୍ବାଇଟ୍ ହାଉସ୍ କହିଛି। ଉଲ୍ଲେଖଯୋଗ୍ୟ, ଇଂଲିଶକୁ ସରକାରୀ ଭାଷାର ମାନ୍ୟତା ନେଇ ୩୦ରୁ ଊର୍ଦ୍ଧ୍ୱ ରାଜ୍ୟ ଆଇନ ପ୍ରଣୟନ କରିସାରିଛନ୍ତି।


