ଭୁବନେଶ୍ୱର, ୮।୧ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଏନ୍ଆଇଏସ୍ ଆଥଲେଟିକ୍ କୋଚ୍ ତଥା ଅନ୍ତର୍ଜାତୀୟ ଟେକ୍ନିକାଲ ଅଫିସିଆଲ ପ୍ରବୋଧ କୁମାର ମହାନ୍ତିଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟର ଖେଲୋ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ପୂର୍ବାଞ୍ଚଳର ପ୍ରତିଭା ଚୟନ ଜୋନାଲ କମିଟିରେ ସେ ସ୍ଥାନ ପାଇଛନ୍ତି। ପଶ୍ଚିମବଙ୍ଗ, ଆସାମ, ମଣିପୁର, ତ୍ରିପୁରା, ମେଘାଳୟ, ମିଜୋରାମ, ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ଆଣ୍ଡାମାନ ଓ ନିକୋବର, ଲାକ୍ଷାଦୀପ, ନାଗାଲାଣ୍ଡ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ ପୂର୍ବାଞ୍ଚଳ ଅଧୀନରେ ରହୁଥିବାରୁ ପ୍ରବୋଧଙ୍କ ଦାୟିତ୍ୱ ବଢ଼ିଛି। ଓଡ଼ିଶା ଆଥଲେଟିକ୍ ଆସୋସିଏଶନ (ଓଏଏ) ସମ୍ପାଦକ ଆଶୀର୍ବାଦ ବେହେରା ଏବଂ ଅନ୍ୟ ସଦସ୍ୟମାନେ ପ୍ରବୋଧଙ୍କୁ ଅଭିନନ୍ଦନ ଜଣାଇଛନ୍ତି।