ଭୁବନେଶ୍ୱର,୧୫ା୭(ବ୍ୟୁରୋ): କୋଭିଡ୍-୧୯ ସମୟରେ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କ ଲାଗି ଆଡ୍ମିଶନ ପ୍ରକ୍ରିୟାକୁ ସହଜ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏଥିଲାଗି ଅନ୍ଲାଇନ୍ ଆଡ୍ମିଶନ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏନେଇ ମଙ୍ଗଳବାର ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଅନ୍ଲାଇନ୍ରେ ସମସ୍ତ ଛାତ୍ରୀଛାତ୍ରଙ୍କ ନାମଲେଖା କରିବାକୁ ରାଜ୍ୟରେ ଥିବା ମୋଟ ୧୦୩ ସ୍ବତନ୍ତ୍ର ବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ପୋର୍ଟାଲ ମଧ୍ୟ ଖୋଲାଯାଇଛି। ଅନ୍ଲାଇନ୍ରେ ଆଡ୍ମିଶନ ପ୍ରକ୍ରିୟା କରାଯିବା ଦ୍ୱାରା ସ୍କୁଲ୍ କର୍ତ୍ତୃପକ୍ଷ, ଛାତ୍ରୀଛାତ୍ର ଏବଂ ମାତାପିତାମାନେ ସାମାଜିକ ଦୂରତା ରକ୍ଷା କରିପାରିବେ। ଫଳରେ କୋଭିଡ୍ ସଂକ୍ରମଣର କମ୍ ସମ୍ଭାବନା ରହିବ। ତେବେ ଆଡ୍ମିଶନ ପରେ କିଭଳି ପାଠପଢା ହେବ ସେନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।