ଆସନ୍ତା ଶିକ୍ଷାବର୍ଷରୁ ୩ ମେଡିକାଲ କଲେଜରେ ନାମଲେଖା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ୩ଟି ନୂଆ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନାର ପ୍ରତିଷ୍ଠା କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ ହୋଇଛି। ତେଣୁ ଡିସେମ୍ବର ଶେଷସୁଦ୍ଧା ଏଠାରେ ଆନୁଷଙ୍ଗିକ କାର୍ଯ୍ୟ ଶେଷକରି ଛାତ୍ରୀଛାତ୍ରଙ୍କ ନାମ ଲେଖା ନମନ୍ତେ ମେଡିକାଲ୍‌ କାଉନ୍‌ସିଲ୍‌ ଅଫ ଇଣ୍ଡିଆ (ଏମ୍‌ସିଆଇ)ର ଅନୁମୋଦନ ପାଇଁ ପ୍ରକ୍ରିୟା ତ୍ୱରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରେ ଡିଜିଟାଲ୍‌ମୋଡ୍‌ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ବୈଠକରୁ ଏହି ସୂଚନା ମିଳିଛି। ଏଥିରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ମହାବିଦ୍ୟାଳୟଗୁଡିକ ବିଷୟରେ ସଦ୍ୟତମ ତଥ୍ୟ ଉପସ୍ଥାପନ କରିଥିଲେ। ତାଳଚେରଠାରେ ନିର୍ମାଣାଧୀନ ମହାନଦୀ ଭେଷଜ ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ, ସୁନ୍ଦରଗଡର ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା ଏବଂ ପୁରୀଠାରେ ନିର୍ମାଣାଧୀନ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଡାକ୍ତରଖାନା କାର୍ଯ୍ୟର ଅଗ୍ରଗତି ନେଇ ବୈଠକରେ ସମୀକ୍ଷା କରାଯାଇଥିଲା। ଏହିସବୁ ଅନୁଷ୍ଠାନରେ ଉଚ୍ଚସ୍ତରୀୟ ବିଶେଷଜ୍ଞ ଚକିତ୍ସା ଉପଲବ୍ଧ ହେବ। ୨୦୨୧-୨୨ରୁ ଏଠାରେ ନାମଲେଖା ଆରମ୍ଭ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ପ୍ରତିବର୍ଷ ୧୦୦ ଜଣ ଲେଖାଏ ଡାକ୍ତରୀ ଛାତ୍ରୀଛାତ୍ର ଏସବୁ ମେଡିକାଲ କଲେଜରେ ନାମ ଲେଖାଇ ପାରିବେ। ଏମ୍‌ସିଏଲ୍‌ ସହଯୋଗିତାରେ ତାଳଚେରରେ ନିର୍ମାଣ ହେଉଥିବା ମେଡିକାଲ କଲେଜକୁ ଏକ ଟ୍ରଷ୍ଟ୍‌ ମାଧ୍ୟମରେ ପରିଚାଳନା କରାଯିବ। ସୁନ୍ଦରଗଡ଼ ଜିଲାରେ ଏନ୍‌ଟିପିସି ସହଯୋଗିତାରେ ନିର୍ମାଣାଧୀନ ଭେଷଜ ମହାବିଦ୍ୟାଳୟରେ ମଧ୍ୟ ପ୍ରତିବର୍ଷ ୧୦୦ ଡାକ୍ତରୀ ଛାତ୍ରୀଛାତ୍ର ନାମ ଲେଖାଇ ପାରିବେ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଭେଷଜ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ ଡାକ୍ତର ସି.ବି.କେ. ମହାନ୍ତିଙ୍କ ସମେତ ଏନ୍‌ଟିପିସି ଏବଂ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Share