Categories: ଫୁରସତ

୭୮ ବର୍ଷୀୟଙ୍କ ୯ମ ଶ୍ରେଣୀରେ ନାମଲେଖା

ଆଇଜଲ୍‌: ଲୋକମାନେ ବୃଦ୍ଧ ଅବସ୍ଥାରେ ତାଙ୍କର ଅଧିକାଂଶ ସମୟ ପୂଜାପାଠ ଏବଂ ଜପତପରେ ବିତାଇଥାନ୍ତି। ହେଲେ ନିକଟରେ ଜଣେ ୭୮ ବର୍ଷ ବୟସର ବ୍ୟକ୍ତି ୯ମ ଶ୍ରେଣୀରେ ନାମ ଲେଖାଇଥିବା ଜଣାପଡ଼ିଛି। ତାଙ୍କ କହିବା କଥା କି, ଇଂଲିଶ୍‌କୁ ଉନ୍ନତ କରିବା ଉଦ୍ଦେଶ୍ୟରେ ସେ ସ୍କୁଲ ଯିବା ଆରମ୍ଭ କରିଛନ୍ତି। ରିପୋର୍ଟ ମୁତାବକ, ମିଜୋରାମ ଚମ୍ଫାଇ ଜିଲାର ହୁଆଇକୋନ ବାସିନ୍ଦା ଲାଲରିଙ୍ଗଥରା ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ(ଆର୍‌ଏମ୍‌ଏସ୍‌ଏ)ରେ କ୍ଲାସ୍‌ରେ ଯୋଗଦେବାକୁ ୩ କି.ମି. ଦୂରରୁ ଚାଲି ଚାଲି ଆସୁଛନ୍ତି। ସେ ତାଙ୍କ ଲମ୍ବା ସମୟର ଇଚ୍ଛାକୁ ପୂରଣ କରିବାକୁ ସ୍କୁଲ ପୋଷାକ, ବହିଭର୍ତ୍ତି ବ୍ୟାଗ୍‌ ଧରି ଯାଇଥାନ୍ତି। ରିପୋର୍ଟ ମୁତାବକ, ଟେଲିଭିଜନ ସମାଚାର ରିପୋର୍ଟ ଏବଂ ଦରଖାସ୍ତ ଲେଖିବାକୁ ତାଙ୍କ ଇଂଲିଶ ସୁଧାରିବାକୁ ନିଷ୍ପତ୍ତି ନେଲେ। ୧୯୪୫ ଭାରତ-ମ୍ୟାନ୍‌ମାର ସୀମା ପାଖ ଖୁଆଙ୍ଗଲେଙ୍ଗ ଗଁାରେ ତାଙ୍କର ଜନ୍ମ ହୋଇଥିଲା। ବାପାଙ୍କ ମୃତ୍ୟୁ ପରେ ବାଧ୍ୟହୋଇ ସେ ୨ୟ ଶ୍ରେଣୀ ପର୍ଯ୍ୟନ୍ତ ହିଁ ପଢ଼ିପାରିଥିଲେ। ସେ ତାଙ୍କ ମା’ଙ୍କ ସହ କ୍ଷେତରେ କାମ କରି ପରିବାର ଚଳାଉଥିଲେ। ସେତେବେଳେ ପରିବାରର ଦାରିଦ୍ର୍ୟ ହେତୁ ଅଧିକ ପାଠ ପଢ଼ିପାରି ନ ଥିଲେ। କିନ୍ତୁ ଏବେ ସେ ଅଧିକ ପଢ଼ିବାକୁ ସ୍କୁଲ ଯାଉଛନ୍ତି। ପିଲାଙ୍କ ସହ ବସି ପଢୁଛନ୍ତି। ଏହା ପୂର୍ବରୁ ସେ ୨୦୧୮ରେ ନ୍ୟୁ ହୁଆଇକୋନ ମିଡଲ ସ୍କୁଲରେ ୫ମ ଶ୍ରେଣୀରେ ନାମ ଲେଖାଇଥିଲେ। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ତାଙ୍କୁ ମିଜୋ ଭାଷା କହିବା ଲେଖିବାରେ କୌଣସି ସମସ୍ୟା ହୁଏନି। ହେଲେ ସେ ଇଂଲିଶ ଭାଷା ଶିଖିବାକୁ ଅଧିକ ଆଗ୍ରହୀ ଅଛନ୍ତି।

Share