ମୁମ୍ବାଇ: ବିବାଦରେ ଫସିଛନ୍ତି ଖ୍ୟାତନାମା ଗାୟକ ଉଦିତ ନାରାୟଣ। ଏକ ଲାଇଭ୍ କନ୍ସର୍ଟରେ ଜଣେ ମହିଳା ପ୍ରଶଂସକଙ୍କୁ ସେ ଚୁମ୍ବନ ଦେଇଥିଲେ। ଏହାର ଏକାଧିକ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଟ୍ରୋଲ କରାଯାଉଛି। ଏଭଳି ବ୍ୟବହାର ତାଙ୍କଠାରୁ ଆଶା କରାଯାଉ ନ ଥିଲା ବୋଲି ଅନେକ ମତ ରଖୁଛନ୍ତି। ଉଦିତ ନିଜେ ବି ଏନେଇ ସଫେଇ ଦେଇଛନ୍ତି।
ଭାଇରାଲ ହେଉଥିବା ଭିଡିଓରେ ଉଦିତ ‘ମୋହରା’ ଫିଲ୍ମର ସୁପରହିଟ୍ ଗୀତ ‘ଟିପ୍ ଟିପ୍ ବରସା ପାନୀ’ ଗୀତ ଗାଉଥିବା ନଜର ଆସୁଛି। ସେତିକି ବେଳେ କିଛି ମହିଳା ପ୍ରଶଂସକ ତାଙ୍କ ସହ ଫଟୋ ଉଠାଇବାକୁ ଷ୍ଟେଜ୍ ନିକଟରେ ପହଞ୍ଚିଥିଲେ। ଉଦିତ ମଧ୍ୟ ତାଙ୍କ ସହ ସେଲ୍ଫି ଉଠାଇଥିଲେ। ପରେ ସେ ମହିଳାଙ୍କ ଗାଲକୁ ଚୁମ୍ବନ ଦେଇଥିଲେ। ପରେ ଅନ୍ୟ ଜଣେ ମହିଳା ପ୍ରଶଂସକ ଷ୍ଟେଜ୍ ନିକଟକୁ ଯିବାରୁ ସେ ଆଣ୍ଠେଇ ଯାଇ ଫଟୋ ଉଠାଇବା ସହ ଓଠକୁ ଚୁମ୍ବନ ଦେଇଥିଲେ। ଏହା ଉକ୍ତ ମହିଳାଙ୍କ ସହ ଅନେକଙ୍କୁ ଚକିତ କରିଥିଲା।
ତେବେ କନସର୍ଟର ଭିଡିଓ ଭାଇରାଲ ହେବା ପରେ ଉଦିତ ‘ହିନ୍ଦୁସ୍ତାନ ଟାଇମ୍ସ’କୁ ସାକ୍ଷାତକାର ଦେଇଥିଲେ। ସେ ଏହାକୁ ‘ଏକ୍ସପ୍ରେଶନ୍ ଅଫ୍ ଲଭ୍’ ବୋଲି କହିଥିଲେ। ପ୍ରଶଂସକ ବହୁତ ଭଲପାଇବା ଦେଇଥାନ୍ତି। ଆମେ ମାନେ ଏଭଳି ନୋହୁଁ। ଆମେ ସାଧାସିଧା ମଣିଷ। ଏସବୁ ଜିନିଷ ଭାଇରାଲ କରି କ’ଣ କରିବୁ। ସେଠାରେ ବହୁତ ଭିଡ ଥିଲା। ଆମ ପାଖରେ ବଡିଗାର୍ଡ ବି ଥିଲେ। କୌଣସି ବି ଉପାୟରେ ପ୍ରଶଂସକମାନେ ଆମ ସହ ଭେଟ କରିବାକୁ ଚାହିଁଥାନ୍ତି। ଏମିତିରେ କିଛି ଲୋକ ହାତ ମିଶାଇବାକୁ ଚାହାନ୍ତି। କିଛି ହାତକୁ ଚୁମ୍ବନ ଦିଅନ୍ତି। ଏସବୁ ଭଲପାଇବା, ଏହା ଉପରେ ବିଶେଷ ଧ୍ୟାନ ଦେବା ଉଚିତ ନୁହେଁ।
ମୋ ପରିବାରର ଛବି ଏଭଳି ଯେ ସମସ୍ତେ ବିବାଦ ସୃଷ୍ଟି କରିବାକୁ ଚାହାନ୍ତି। ମୋ ପୁଅ ଆଦିତ୍ୟ ଚୁପ୍ଚାପ୍ ରୁହେ। ବିବାଦକୁ ଆସେନାହିଁ। ଯେତେବେଳେ ମୁଁ ଷ୍ଟେଜ୍ରେ ଗାଏ, ସେଠାରେ ପାଗଳପଣ ଥାଏ। ପ୍ରଶଂସକ ମୋତେ ଭଲ ପାଆନ୍ତି। ତାଙ୍କୁ ଖୁସି ହେବାକୁ ଦେବା କଥା ବୋଲି ମୁଁ ଭାବେ। ସେମିତିରେ ଆମେ ଖରାପ ଲୋକେ ନୋହୁଁ। ଆମକୁ ପ୍ରଶଂସକଙ୍କୁ ଖୁସି କରିବାକୁ ହୁଏ ବୋଲି ସେ ଆହୁରୀ ମଧ୍ୟ କହିଛନ୍ତି।
କହିରଖୁଛୁ, ଉଦିତଙ୍କ ଭିଡିଓ ଭାଇରାଲ ହେବା ପରେ ପ୍ରଥମେ କିଛି ଲୋକ ତାକୁ AI ଜେନେରେଟେଡ୍ ଭିଡିଓ ବୋଲି କହୁଥିଲେ। ସେହିଭଳି ଅନେକେ ଝିଅ ବୟସର ଯୁବତୀମାନଙ୍କ ସହ ଉଦିତଙ୍କର ଏଭଳି ବ୍ୟବହାର ଆଶା କରାଯାଉ ନ ଥିଲା ବୋଲି କହିଥିଲେ।