ଅନୁଗୋଳ ଅଫିସ, ୨୮ା୩: ରାଜ୍ୟ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅନୁଗୋଳ ଜିଲା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାକୁ ନେଇ ଅନୁଗୋଳ ଜିଲା ବିଜେଡି ଶିବିରରେ ଅଧିକ ଉତ୍ସାହ ଦେଖାଦେଇଛି। ବିଧାୟକଙ୍କ ପାଖରୁ ଆରମ୍ଭ କରି ଜିଲା ସଭାପତି ଓ ଛାମୁଆ ସଙ୍ଗଠନ ପକ୍ଷରୁ ନୂଆ ପର୍ଯ୍ୟବେକ୍ଷକଙ୍କୁ ଅଭିନନ୍ଦନ ଜଣାଯାଇଛି। ଜିଲା ବିଜେଡି ସଭାପତି ମହେନ୍ଦ୍ର କୁମାର ବସ୍ତିଆ ଏକ ଭିଡିଓ ବାର୍ତ୍ତାରେ ଅନୁଗୋଳ ବିଜେଡି ତରଫରୁ ଏବଂ ଏମ୍ପି, ବିଧାୟକ, ଯୁବ ବିଜେଡି, ଛାତ୍ର ବିଜେଡି ଓ ମହିଳା ବିଜେଡି ପକ୍ଷରୁ ଦଳର ରାଜ୍ୟ ସଭାପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏଥିସହ ନୂତନ ପର୍ଯ୍ୟବେକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆ ପର୍ଯ୍ୟବେକ୍ଷକଙ୍କ ଯୋଗୁ ଅନୁଗୋଳ ବିଜେଡି ପୂର୍ବାପେକ୍ଷା ଅଧିକ ଦୃଢ଼ ହେବାର ଆଶା ରଖାଯାଇଛି ବୋଲି ଜିଲା ବିଜେଡି ସଭାପତି ପ୍ରକାଶ କରିଛନ୍ତି। ସେହିପରି ଅନୁଗୋଳ ଜିଲା ଯୁବ ବିଜେଡି ସଭାପତି ଦୀନେଶ ପ୍ରଧାନ, ଛାତ୍ର ସଭାପତି ରାଜୀବ ଲୋଚନ ଦାସଙ୍କ ସହ ଅନ୍ୟମାନେ ମଧ୍ୟ ନୂତନ ପର୍ଯ୍ୟବେକ୍ଷକଙ୍କୁ ଅଭିନନ୍ଦନ ଜଣାଇଛନ୍ତି।