ଇଂଲିଶ ଭାଷାରେ ଦୁର୍ବଳତା ତାଙ୍କୁ ଦୁଇ ଥର ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅକୃତକାର୍ଯ୍ୟ କରାଇଥିଲା। ଏହି ବିଫଳତା ସତ୍ତ୍ୱେ ସେ ପଢ଼ାରୁ ଇସ୍ତଫା ଦେଇ ନ ଥିଲେ। ତାଙ୍କ ଭାଇ ଜଣେ ରସାୟନବିତ୍ ଓ ସେ ଜୀବନରେ କିଛି ନ କରି ରହିଗଲେ ପିତାଙ୍କ ମନଦୁଃଖ ହେବ ଭାବି ପଢ଼ାରେ ମନ ଦେଲେ। ଫଳରେ ଫାର୍ମାସି ଡିଗ୍ରୀ ହାସଲ କଲେ ଓ ସ୍ବର୍ଣ୍ଣପଦକ ପାଇଲେ। ଏହା ପରେ ବିଫଳତା ତାଙ୍କୁ ସେଇଠୁ ଛାଡ଼ି ଚାଲିଗଲା। ସେ ହାଇଦ୍ରାବାଦରେ ଓ୍ବାର୍ନର୍ସ ହିନ୍ଦୁସ୍ତାନ କମ୍ପାନୀରେ ମାସିକ ୨୫୦ ଟଙ୍କାରେ ଯୋଗଦେଲେ। ତା’ପରେ ବିଶ୍ୱସ୍ତରୀୟ କମ୍ପାନୀରେ କାମ କରିବା ଲାଗି ଚାକିରି ଖୋଜିଲେ। ଆମେରିକାରେ ଔଷଧ କମ୍ପନୀଗୁଡ଼ିକ ପ୍ରତିଭାଙ୍କୁ ଲୋଡ଼ିଥାଆନ୍ତି। ଏଥର ସେହି ପ୍ରତିଭା ଭାବେ ମୁରଲୀ କ୍ରିଷ୍ଣା ପ୍ରସାଦ ଡିଭି ନିଜ କ୍ୟାରିୟର ଆମେରିକାରେ ଗଢ଼ିବାର ସୁଯୋଗ ପାଇଲେ। ହେଲେ ୯ ମାସ ଲାଗିଗଲା ତାଙ୍କୁ ଆମେରିକା ଯିବାରେ। ୧୯୭୬-୭୭ରେ ଫରେନ୍ ଏକ୍ସଚେଞ୍ଜ କଷ୍ଟକର ଥିଲା। ହାତରେ ମାତ୍ର ୭ ଡଲାର ଧରି ସ୍ତ୍ରୀ ଓ ପୁଅକୁ ନେଇ ମୁରଲୀ ଆମେରିକାରେ ପହଞ୍ଚତ୍ଗଲେ। ଏଥର ଭାଗ୍ୟଦେବୀ ତାଙ୍କୁ ସହାୟ ହେଲେ। ଟ୍ରିନିଟି କେମିକାଲ ଆଣ୍ଡ୍ ଫାଇକ୍ କେମିକାଲରେ ସେ କାର୍ଯ୍ୟ ଆରମ୍ଭ କଲେ। କାର୍ଯ୍ୟକ୍ଷେତ୍ରରେ ଦକ୍ଷତା ପ୍ରତିପାଦିତ କରିବା ପରେ ତାଙ୍କୁ ପଦୋନ୍ନତି ମିଳିବାରେ ଲାଗିଲା। ବାର୍ଷିକ ଦରମା ତାଙ୍କର ଛୁଇଁଲା ୬୫ ହଜାର ଡଲାର। କିଛି ବର୍ଷ କାମ କରିବା ଭିତରେ ସେ ଅଭିଜ୍ଞତା ଅର୍ଜନ କଲେ। ହେଲେ ଦିନେ ଏକୁଟିଆ ବସିଥିବା ବେଳେ ସ୍ବଦେଶ ଫେରି ଦେଶ ପାଇଁ କିଛି କରିବେ ବୋଲି ତାଙ୍କୁ ଚିନ୍ତା ଘାରିଲା। ସହଧର୍ମିଣୀଙ୍କ ସହ ପରାମର୍ଶ କଲେ। ସେ ମଧ୍ୟ ତାଙ୍କ କଥାରେ ହଁ ଭରିବାରୁ ମୁରଲୀ ୧୯୮୦ରେ ଭାରତ ଫେରିଲେ। ଅବଶ୍ୟ ସେତେବେଳେ ତାଙ୍କ ପାଖରେ ଥିଲା ମାତ୍ର ୪୦,୦୦୦ ଡଲାର। ଭବିଷ୍ୟତ ପାଇଁ ବିଧିବଦ୍ଧ ଯୋଜନା ନ କରି ସ୍ବଦେଶ ଫେରିଆସିବା ପରିବାର ଓ ବନ୍ଧୁବର୍ଗଙ୍କୁ ଆଶ୍ଚର୍ଯ୍ୟ କରିଥିଲା। କିନ୍ତୁ ତାଙ୍କ ଭିତରେ ଗଜୁରି ଉଠିଥିବା ଔଦ୍ୟୋଗିକ ଚିନ୍ତାକୁ ସେ ବାସ୍ତବରେ ପରିଣତ କଲେ। ସମୟକ୍ରମେ ଡକ୍ଟର ରେଡ୍ଡୀ ଔଷଧ କମ୍ପାନୀର ପ୍ରତିଷ୍ଠାତା ଡକ୍ଟର କାଲାମ ଅଞ୍ଜି ରେଡ୍ଡୀଙ୍କ ସହ ନିଜ ଅଭିଜ୍ଞତା ବାଣ୍ଟିଲେ। ଏବଂ ସେହି କମ୍ପାନୀର ସେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନେଲେ। ହେଲେ ମୁରଲୀଙ୍କ ଉତ୍ଥାନକୁ ରେଡ୍ଡୀଙ୍କ ଉତ୍ତରାଧିକାରୀ ସହିପାରିଲେ ନାହିଁ। ବ୍ୟବସାୟିକ ଦ୍ୱନ୍ଦ୍ୱ ଯୋଗୁ ସେ ଡକ୍ଟର ରେଡ୍ଡୀ କମ୍ପାନୀ ଛାଡ଼ିଦେଲେ। ନିଜର ଦକ୍ଷତା ଉପରେ ତାଙ୍କର ଥିବା ପ୍ରଗାଢ଼ ବିଶ୍ୱାସ ତାଙ୍କୁ ନୂଆ କମ୍ପାନୀ ପ୍ରତିଷ୍ଠା କରିବାର ସୁଯୋଗ ଦେଲା ଓ ୧୯୯୦ରେ ସେ ହାଇଦ୍ରାବାଦରେ ଗଢ଼ିଲେ ‘ଡିଭି ଲାବରେଟୋରିଜ୍’। ୨୦୨୦ କରୋନା ମହାମାରୀ ସମୟରେ ତାଙ୍କ କମ୍ପାନୀର ସମ୍ପତ୍ତି ୪ ବିଲିୟନ ଡଲାର ଥିବାବେଳେ ଏବେ ତାହା ୧୦ ବିଲିୟନ ଡଲାର ଅତିକ୍ରମ କରିଯାଇଛି। ଏଥିସହିତ ଦେଶର ତୃତୀୟ ବୃହତ୍ ସକ୍ରିୟ ଔଷଧୀୟ ଉପାଦାନ ବା ଆକ୍ଟିଭ୍ ଫାର୍ମାସ୍ୟୁଟିକାଲ ଇନ୍ଗ୍ରେଡିଆଣ୍ଟ୍ସ (ଏପିଆଇ) ଭାବେ ପରିଚିତ ଡିଭି ଲାବରେଟୋରିଜ୍ ଗବେଷଣା ଓ ବିକାଶ (ଆର୍ ଆଣ୍ଡ୍ ଡି) କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିପାରିଛି।
ଏକଦା ଦ୍ୱାଦଶ ଶ୍ରେଣୀରେ ଅକୃତକାର୍ଯ୍ୟ ହୋଇଥିବା ମୁରଲୀ ବୈଜ୍ଞାନିକ ଉଦ୍ୟୋଗୀ ଭାବେ ବିଲିୟନେୟାର ହେବା ଯୁବ ଉଦ୍ୟୋଗୀଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ତାଙ୍କର ପହୁଞ୍ଚ ଫାଇଜର ଓ ଗ୍ଲାସୋ ସ୍ମିଥ୍କ୍ଲାଇନ୍ ଆଦି ଔଷଧ କ୍ଷେତ୍ରରେ ଅଭିନବତ୍ୱ ଅଣିପାରୁଥିବା ବିଶ୍ୱସ୍ତରୀୟ କମ୍ପାନୀ ସହ ରହିବା ଭାରତ ପାଇଁ ଗର୍ବର ବିଷୟ। ତାଙ୍କ ପରିବାର କଥା ଦେଖିଲେ ପିତା ସ୍ବର୍ଗତ ସତ୍ୟନାରାୟଣ ଥିଲେ କ୍ରିଷ୍ଣା ଜିଲାର ଜିଲା ପରିଷଦର ଜଣେ ସମ୍ପାଦକ। ଅତି କଷ୍ଟରେ ପିତା ୧୩ ସନ୍ତାନକୁ ନେଇ ପରିବାର ପ୍ରତିପୋଷଣ କରୁଥିଲେ। ମୁରଲୀ ୯ ପୁଅଙ୍କ ମଧ୍ୟରେ ଥିଲେ ସବା ସାନ। ଫଳରେ ତାଙ୍କ ବେଳକୁ ପିତାଙ୍କୁ ପଢ଼ା ଖର୍ଚ୍ଚ ଦେବା କଷ୍ଟକର ହୋଇପଡ଼ିଥିଲା। ହେଲେ ନିଜ ଉପରେ ଆତ୍ମବିଶ୍ୱାସ ଓ କାର୍ଯ୍ୟ ପ୍ରତି ଗଭୀର ଭଲପାଇବା ଯୋଗୁ ମୁରଲୀ ଆଜି ଭାରତର ଶ୍ରେଷ୍ଠ ଧନୀଙ୍କ ତାଲିକାର ୧୪ତମ ସ୍ଥାନରେ ରହିପାରିଛନ୍ତି। ବଂଶାନୁକ୍ରମିକ ଭାବେ ଧନୀ ରହିଆସିଥିବା ପରିବାରକୁ ପଛରେ ପକାଇ ଏକ ସାଧାରଣ ପରିବାରର ପିଲା ସଫଳତାର ଶୀର୍ଷ ଛୁଇଁବା ନିଶ୍ଚିତ ଭାବେ ବିଫଳତା ଯୋଗୁ ଭାଙ୍ଗିପଡ଼ୁଥିବା ଯୁବପିଢ଼ି ପାଇଁ ମୁରଲୀ ଏକ ବୁଷ୍ଟର ବା ଗତିବର୍ଦ୍ଧକ ସଦୃଶ।
– ଜିତେନ୍ଦ୍ର କୁମାର ନାୟକ