Categories: ରାଜ୍ୟ

‘ଉଦ୍ୟୋଗୀମାନେ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଉଚିତ’

କର୍କଟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାବେଳେ ୨୦୨୦ରେ କଟକରେ ପ୍ରତିଷ୍ଠା ହୋଇଥିଲା ‘କାର୍ସିନୋଭା କ୍ୟାନ୍‌ସର ହସ୍ପିଟାଲ’। କମ୍‌ ଖର୍ଚ୍ଚରେ ଉଚ୍ଚକୋଟୀର ସ୍ବାସ୍ଥ୍ୟସେବା ଯୋଗାଇବା ହସ୍ପିଟାଲର ଲକ୍ଷ୍ୟ ବୋଲି ମେଡିକାଲ ଡାଇରେକ୍ଟର ଡା. ପ୍ରଜ୍ଞା ପାରମିିତା ମିଶ୍ର ସବୁବେଳେ କୁହନ୍ତି। ସେ ଜଣେ ଡେଣ୍ଟାଲ ସର୍ଜନ ହୋଇଥିବାବେଳେ ହସ୍ପିଟାଲ ମ୍ୟାନେଜମେଣ୍ଟରେ ମଧ୍ୟ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି। ପୂର୍ବ ଭାରତରେ ରୋଗୀଙ୍କ ସ୍ବାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ନୂଆ ମାଇଲଖୁଣ୍ଟ ସ୍ଥାପନ ଲକ୍ଷ୍ୟ ରଖିଥିବା ଡା. ମିଶ୍ରଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ଆଳାପ…

ପ୍ର- ସ୍ବାସ୍ଥ୍ୟ କ୍ଷେତ୍ରରେ ଜଣେ ଉଦ୍ୟୋଗୀଙ୍କ ମୁଖ୍ୟ ଭୂମିକା କ’ଣ ହୋଇଥାଏ?
ଉ- ଜଣେ ଉଦ୍ୟୋଗୀ ସ୍ବାସ୍ଥ୍ୟ କ୍ଷେତ୍ରରେ ଦାୟିତ୍ୱ ବହନ ପାଇଁ ତପତ୍ର ହେବା ସହ ବିଭିନ୍ନ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ଦରକାର।
ପ୍ର- ଓଡ଼ିଶାରେ କ୍ୟାନ୍‌ସର ହସ୍ପିଟାଲ ଚଳାଇବା ଆପଣଙ୍କ ପାଇଁ ସହଜ କି?
ଉ- ଯେକୌଣସି କ୍ଷେତ୍ରରେ ଷ୍ଟାର୍ଟଅପ୍‌ ପାଇଁ ଆର୍ଥିକ ସମସ୍ୟା ବାଧା ସୃଷ୍ଟି କରିଥାଏ। ବିଶେଷକରି ସ୍ବାସ୍ଥ୍ୟ କ୍ଷେତ୍ରରେ ଦିନକୁ ଦିନ ବଢ଼ୁଥିବା ଆବଶ୍ୟକତା ପୂରଣ କରିବା ସହଜ ନୁହେଁ।
ପ୍ର- ସ୍ବାସ୍ଥ୍ୟ କ୍ଷେତ୍ରରେ ନୂଆ ନୂଆ କୌଶଳ ପ୍ରୟୋଗ ପାଇଁ ସ୍ବତନ୍ତ୍ର ନିୟାମକ ସ୍ଥିର କରାଯିବାର ଆବଶ୍ୟକତା ଅଛି କି?
ଉ- କୌଣସି ନୂତନ ଜ୍ଞାନକୌଶଳ ପ୍ରୟୋଗ ସମୟରେ ଆମେ ଧ୍ୟାନଦେବା ଉଚିତ ଯେ, ତାହା ରୋଗୀଙ୍କ ପାଇଁ କେତେ ସହାୟକ ହେଉଛି। ରୋଗୀଙ୍କୁ କେବଳ ଉଚ୍ଚମାନରେ ସେବା ପ୍ରଦାନ କରୁଥିବା ଜ୍ଞାନକୌଶଳକୁ ସୁଯୋଗ ଦିଆଯିବା ଉଚିତ। ମାତ୍ର ଅତ୍ୟଧିକ କଟକଣା ଅନେକ ସମୟରେ ଅଭିନବତ୍ୱକୁ ପ୍ରଭାବିତ କରିଥାଏ।
ପ୍ର- ଏଣ୍ଟରପ୍ରିନିୟର ମ୍ୟାନେଜମେଣ୍ଟର କାର୍ଯ୍ୟ ସମ୍ପର୍କରେ କ’ଣ କହିବେ?
ଉ- ଏଣ୍ଟରପ୍ରିନିୟର ମ୍ୟାନେଜମେଣ୍ଟ ବିଭିନ୍ନ ପ୍ରକାର ପରିଚାଳନାଗତ କାର୍ଯ୍ୟ କରନ୍ତି। ବ୍ୟବସାୟ ଉଦ୍ଦେଶ୍ୟ ନିର୍ଣ୍ଣୟ, ଯୋଜନା ପ୍ରସ୍ତୁତି, ସେବା ବିଶ୍ଳେଷଣ ଏବଂ ବଜାର ଅନୁସନ୍ଧାନ, କ୍ଲିନିକାଲ ଏବଂ ଅଣ କ୍ଲିନିକାଲ ଲୋକଙ୍କୁ ନିଯୁକ୍ତି ଆଦି କାର୍ଯ୍ୟ ମ୍ୟାନେଜମେଣ୍ଟର ହୋଇଥାଏ।
ପ୍ର-କାର୍ସିନୋଭା କ୍ୟାନ୍‌ସର ହସ୍ପିଟାଲରେ ପ୍ରଦାନ କରାଯାଉଥିବା ସେବା ସମ୍ପର୍କରେ କ’ଣ କହିବେ?
ଉ- କାର୍ସିନୋଭା କ୍ୟାନ୍‌ସର ହସ୍ପିଟାଲରେ ଅତ୍ୟାଧୁନିକ ଯନ୍ତ୍ରପାତିରେ କର୍କଟ ରୋଗର ଚିକିତ୍ସା କରାଯାଉଛି। ବିଶେଷକରି ଅତ୍ୟାଧୁନିକ ଅପରେଶନ ଥିଏଟର, ସ୍ବତନ୍ତ୍ର ରେଡିଏଶନ ମେଶିନ ଓ ସୁନାମଧନ୍ୟ କ୍ୟାନ୍‌ସର ସ୍ପେଶାଲିଷ୍ଟ ଟିମ୍‌ ଦ୍ୱାରା ଏହି ଦୁରାରୋଗ୍ୟ ବ୍ୟାଧିର ଚିକିତ୍ସା କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ହସ୍ପିଟାଲ କ୍ୟାମ୍ପସରେ ସବୁ ସୁବିଧା ମିଳୁଛି।

Share