Categories: ଜାତୀୟ

ହିଜାବ ବିବାଦରେ ‘ବୁଲେଟ୍‌’ ଏଣ୍ଟ୍ରି

ଭୋପାଳ,୧୦।୨: କର୍ନାଟକର ଏକ ସ୍କୁଲରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ମାମଲା ଏବେ ମଧ୍ୟପ୍ରଦେଶରେ ପହଞ୍ଚିଛି। ବୁଧବାର ଝିଅମାନେ ହିଜାବ-ବୁର୍ଖାରେ ଫୁଟବଲ-କ୍ରିକେଟ ଖେଳିବା ପରେ ଏବେ ବୁଲେଟ ଚଳାଉଥିବା ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ବୁଲେଟରେ ବସିଥିବା ଜଣେ ଝିଅ ଫ୍ଲାଇଙ୍ଗ୍‌ କିସ୍‌ କରୁଥିବା ଦେଖାଯାଏ। ବୁଲେଟର ନମ୍ବର ପ୍ଲେଟ ଭାଜପା ପତାକା ରଙ୍ଗରେ ଲେଖାଯାଇଛି। ଏହା ଭାଜପା ପ୍ରାୟୋଜିତ କି ବୋଲି କଂଗ୍ରେସ ପ୍ରଶ୍ନ କରିଛି।
୪୩ ସେକେଣ୍ଡର ଭିଡିଓରେ ବୁର୍ଖା ଏବଂ ହିଜାବ ପିନ୍ଧିଥିବା ଦୁଇ ଝିଅ ଭୋପାଳର ଭିଭିଆଇପି ରୋଡରେ ବୁଲେଟ ଏବଂ ସ୍ପୋର୍ଟସ ବାଇକ ଚଳାଉଥିବାର ନଜର ଆସିଛନ୍ତି। ତାଙ୍କ ପଛରେ ଅନ୍ୟ ଦୁଇ ଝିଅ ମଧ୍ୟ ବୁର୍ଖା ପିନ୍ଧି ବସିଛନ୍ତି। ବୁଲେଟ ଏବଂ ବାଇକ ଚଳାଉଥିବା ଝିଅମାନେ ବିଜୟ ସଙ୍କେତ ଦିଅନ୍ତି। କିଛି ସମୟ ପରେ ବୁଲେଟ୍‌ରେ ବସିଥିବା ଜଣେ ଝିଅ ଏକ ଫ୍ଲାଇଙ୍ଗ କିସ୍‌ ମଧ୍ୟ ଦେଉଥିବାର ଦେଖାଯାଏ। ବୁଲେଟର ଆଗ ନମ୍ବର ପ୍ଲେଟର ରଙ୍ଗ ହେଉଛି ଭାଜପା ପତାକା ରଙ୍ଗ। ଅନ୍ୟପକ୍ଷରେ, ଅନ୍ୟ ଏକ ଭାଇରାଲ ଭିଡିଓରେ ୪ଟି ଝିଅ ବୁଲେଟ୍‌ରେ ବସିଥିବାର ନଜର ଆସିଛନ୍ତି, ଯେଉଁଥିରେ ଦୁଇଜଣ ଝିଅ ବିଜୟର ସଙ୍କେତ ଦେଉଛନ୍ତି। ଝିଅମାନେ ବୁର୍ଖା ପିନ୍ଧିଛନ୍ତି କିନ୍ତୁ ହେଲମେଟ ପିନ୍ଧିନାହାନ୍ତି। ଏହାପୂର୍ବରୁ ବୁଧବାର କିଛି ଝିଅ ହିଜାବ ପିନ୍ଧି ଫୁଟବଲ ଏବଂ କ୍ରିକେଟ ଖେଳି ସ୍କୁଲ ଶିକ୍ଷା ମନ୍ତ୍ରୀ ଇନ୍ଦର ସିଂ ପରମାରଙ୍କ ମନ୍ତବ୍ୟକୁ ବିରୋଧ କରିଥିଲେ।
କଂଗ୍ରେସ ମୁଖପାତ୍ର ନରେନ୍ଦ୍ର ସାଲୁଜା କହିଛନ୍ତ, ଏହି ଭିଡିଓରେ ବୁଲେଟ ଚଳାଉଥିବା ଝିଅଙ୍କ ଗାଡିର ନମ୍ବର ପ୍ଲେଟ ଭାଜପାର ପତାକା ରଙ୍ଗ ରହିଛି। ଏହା ଭାଜପା ପ୍ରାୟୋଜିତ କି? ରାଜନୈତିକ ଲାଭ ପାଇଁ ଭାଜପା କିଛି ବି କରିପାରିବ। ଏହି ଝିଅମାନେ କିଏ, ଭାଜପା ଏହାର ଉତ୍ତର ଦେବା ଉଚିତ୍‌ ବୋଲି ସେ କହିଛନ୍ତି।

Share