ଦୂଷିତ ପାଣି, ପାଉଁଶ ଯୋଗୁ ପରିବେଶ ପ୍ରଦୂଷିତ

ବୌଦ୍ଧ,୧୫ା୧( ଅଜିତ କୁମାର ବାରିକ): ବୌଦ୍ଧ ଜିଲା ବୌଦ୍ଧ ବ୍ଲକର କସୁରବନ୍ଧ ଗ୍ରାମ ପଞ୍ଚାୟତର ପଦ୍ମପୁର ଗ୍ରାମରେ ଥିବା ଏକ ରାଇସ୍‌ ମିଲର ଦୂଷିତ ପାଣି ଓ ପାଉଁଶ ଯୋଗୁ ପରିବେଶ ପ୍ରଦୂଷିତ ହେବା ସହ ଅଞ୍ଚଳବାସୀ ନା ନା ରୋଗର ଶିକାର ହେଉଥିବା ଅଭିଯୋଗ ହୋଇଛି। ଉକ୍ତ ରାଇସ ମିଲ ଦୀର୍ଘ ବର୍ଷ ହେବ ଏଠାରେ ସ୍ଥାପନ ହେବା ଯୋଗୁ ପଞ୍ଚାୟତର ସାନଡୁମ୍ବୁରୀପାଲି, କସୁରବନ୍ଧ, ନୂଆପାଲି , କରମାପଦର, କୁକୁରଚିରା, ମସିଣାପଡା, ସୁନାଖିଆଝୁଲି ଓ ଦହ୍ୟା ପଞ୍ଚାୟତର ବାହାହୁର ଗ୍ରାମବାସୀ ପୁରା ଅତିଷ୍ଠ ହୋଇ ପଡିଛନ୍ତି। ରାଇସ ମିଲର ପାଣି ନିକଟସ୍ଥ ନାଳରେ ମିଶୁଥିବାରୁ ନାଳ ପାଣି ପ୍ରଦୂଷିତ ହେଉଛି। ମିଲର ପାଉଁଶ ନିକଟସ୍ଥ ଖୋଲା ସ୍ଥାନରେ ପକାଯାଉଥିବା ଯୋଗୁ ପରିବେଶ ଦୂଷିତ ହେବା ସହ ଲୋକମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏହାସହ ନୂଆପାଲିଠାରୁ କରମାପଦର ବହାଜୁର ଯାଇଥିବା ରାସ୍ତାରେ ମିଲର ଭାରୀଯାନ ଚଳପ୍ରଚଳ ଯୋଗୁ ରାସ୍ତା ଖରାପ ହେବା ସହ ସ୍ଥାନୀୟ ଲୋକ ଯିବା ଆସିବାରେ ସମସ୍ୟା ହେଉଛି। ଏନେଇ ଅଞ୍ଚଳବାସୀ ପୂର୍ବରୁ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। କିନ୍ତୁ ପ୍ରଶାସନ ଆଦୌ ଦୃଷ୍ଟି ଦେଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଯଦି ଏ ଦିଗରେ ବିହିତ ପଦକ୍ଷେପ ନିଆ ନ ଯାଏ ଆଗମୀ ଦିନରେ ଆନ୍ଦୋଳନ କରିବାକୁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି। ଯଥାଶୀଘ୍ର ଏଥପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Share