ମୌନି ରୟଙ୍କ ମୁଣ୍ଡକୁ ଏବେ ଏକ ନୂଆ କଥା ଜୁଟିଛି। ଅଭିନୟ ତ ଚାଲୁ ରହିବ, ତା’ ସହ ଆଉ ଏକ କ୍ଷେତ୍ରରେ ପାଦ ରଖୁଛନ୍ତି ସେ। ତାହା ହେଲା ପରିବେଶ ସୁରକ୍ଷା। କଥା କ’ଣ କି ନିକଟରେ ସେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। ବାଟରେ ଯିବା ବେଳେ ତାଙ୍କର ପ୍ରଦୂଷିତ ପରିବେଶ ଉପରେ ନଜର ପଡ଼ିଲା। ବାସ୍, ତା’ପରେ ଏହାର ସୁରକ୍ଷା ପାଇଁ ନିଜେ ଅଣ୍ଟା ଭିଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ଖାସ୍ କଥା ହେଲା ପରିବେଶକୁ କିପରି ପ୍ରଦୂଷଣମୁକ୍ତ ରଖାଯାଇପାରିବ ସେ ନେଇ କିଛି ଯୋଜନା ମଧ୍ୟ ନିଜେ ପ୍ରସ୍ତୁତ କରିଛନ୍ତି। ଏପରି ଯୋଜନା ବିଷୟରେ ମୌନି କହନ୍ତି, ‘ପ୍ରଦୂଷିତ ପରିବେଶ ଆମ ସ୍ବାସ୍ଥ୍ୟ ପାଇଁ କେତେ କ୍ଷତିକାରକ ତାହା ଆମେ ସମସ୍ତେ ଉପଲବ୍ଧି କରିବାର ସମୟ ଆସିଛି। ଏ ନେଇ ମୁଁ ଏବେ ନୂଆ ଯୋଜନା ଆରମ୍ଭ କରିଛି। ଏଥିପାଇଁ ଏକ ସଂସ୍ଥା ଗଠନ କରିବା ସହ କିଛି ଲୋକଙ୍କୁ ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ରଖିବି। ତା’ସହ ଏ ନେଇ ପରିବେଶବିତ୍ଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବି। ଯେତେ ବ୍ୟସ୍ତ ରହିଲେ ମଧ୍ୟ ମୁଁ ଏଥିପାଇଁ ନିଶ୍ଚୟ ସମୟ ବାହାର କରିବି।’ ଅନ୍ୟପକ୍ଷରେ କରନ୍ ଜୋହରଙ୍କ ପ୍ରଯୋଜିତ, ରଣବୀର କପୁର ଏବଂ ଆଲିୟା ଭଟ୍ଟ ଅଭିନୟ କରିଥିବା ତଥା ରିଲିଜ ଅପେକ୍ଷାରେ ଥିବା ‘ବ୍ରହ୍ମାସ୍ତ୍ର’ରେ ମୌନି ଅଭିନୟ କରିଛନ୍ତି।