ଇଂ. ଶକ୍ତି ପ୍ରସାଦ ଦାସ
ଆମେ ସମସ୍ତେ ଜାଣୁ, ଜଳବାୟୁ ପରିବର୍ତ୍ତନ ଆମ ସଭ୍ୟତା ପାଇଁ ସବୁଠାରୁ ବଡ଼ ଆହ୍ବାନ। ତେଣୁ, ପରିବେଶକୁ ରକ୍ଷା କରିବାର ସମୟ ଆସନ୍ନ। ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଦେଖିଲେ, ମଣିଷର ପ୍ରବୃତ୍ତି ହେଉଛି ସାମ୍ପ୍ରତିକ ଭୋଗ ପ୍ରାପ୍ତି ପାଇଁ ଭବିଷ୍ୟତକୁ ଅଣଦେଖା କରିବା। ତେଣୁ, ବିଶ୍ୱ ସ୍ତରରେ, ରାଷ୍ଟ୍ରର ବୈଦେଶିକ ନୀତି, ଅର୍ଥନୀତି ଅଥବା ପରିବେଶ ନୀତିଗୁଡ଼ିକରେ ମଧ୍ୟ ଏହା ପ୍ରତିଫଳିତ ହୁଏ।
ଆଜି, ମାନବ ଜାତିକୁ କୌଣସି ଗୋଟିଏ ବିକଳ୍ପ ବାଛିବାକୁ ପଡିବ: ପୋଷଣୀୟ ହେଉ ନ ଥିବା ବିକାଶର ପ୍ରବଳ ଅଭିବୃଦ୍ଧିକୁ ଚଳାଇ ରଖିବା ଅଥବା ପୋଷଣୀୟ ଭବିଷ୍ୟତ ପାଇଁ ଏହାକୁ ମନ୍ଥର କରିବା। ଦ୍ୱିତୀୟ ବିକଳ୍ପରେ, ଆମ ଜୀବନଯାପନ ଖର୍ଚ୍ଚ କିଛି ପରିମାଣରେ ଅଧିକ ହୋଇପାରେ। ଆମର ଅର୍ଥନୈତିକ ଅଭିବୃଦ୍ଧିରେ ସାମାନ୍ୟ ମନ୍ଥରତା ଦେଖାଦେଇପାରେ, ଯାହା ମୁଖ୍ୟତଃ ଗରିବ ଲୋକଙ୍କ ପାଇଁ ଅସୁବିଧା ସୃଷ୍ଟି କରିବ। ଅନ୍ୟପକ୍ଷରେ, ଆମେ ଯଦି ଉଗ୍ର ଶିଳ୍ପାୟନକୁ ମନ୍ଥର ନ କରିବା, ତେବେ ଆମର ଏହି ଗ୍ରହଟି ଏକ ଅନୁର୍ବର ଅନାବାଦି ପିଣ୍ଡରେ ପରିଣତ ହେବାକୁ ବେଶିଦିନ ଲାଗିବ ନାହିଁ ।
ତୁଷ୍ଟୀକରଣ ରାଜନୀତିରେ ଅନେକ ଜଳବାୟୁ ପରିବର୍ତ୍ତନଜନିତ ସଂଘାତକୁ ମାନୁ ନ ଥିବାବେଳେ, ଅନ୍ୟ କେତେକେ ଏହି ସଂଗ୍ରାମକୁ ଚତୁରତାର ସହ ଆଡ଼େଇ ଯିବାକୁ ଅଣ୍ଟା ଭିଡ଼ିଛନ୍ତି। ଯେଉଁ ନୀତିଗୁଡ଼ିକ ତୁରନ୍ତ ଫାଇଦା ଦେବ, ସେହି ନୀତି ସବୁକୁ ଅଧିକାଂଶ ରାଜନୈତିକ ନେତୃତ୍ୱ ପସନ୍ଦ କରୁଛନ୍ତି। ପରିଣାମ ହେଉଛି, ଏକ ରାଜନୈତିକ ପରିବେଶ, ଯେଉଁଠି କିଛି ଲୋକ ଜଳବାୟୁ ପରିବର୍ତ୍ତନର କୁପ୍ରଭାବକୁ ବିଦ୍ରୂପ କରନ୍ତି ସେମାନେ ଜୀବିକା, ବିକାଶ, ଧର୍ମ ଇତ୍ୟାଦି ଆଧାରରେ ସେମାନଙ୍କର ଏଜେଣ୍ଡାକୁ ପରିବେଶ ବିରୋଧୀ ଯୁକ୍ତି ସହିତ ଫେଣ୍ଟାଫେଣ୍ଟି କରି ଆମକୁ ପରିବେଷଣ କରନ୍ତି। ମନକୁ ପ୍ରଶ୍ନ ଆସେ, ଏହି ଲୋକମାନେ ପରିବେଶ ବିଜ୍ଞାନକୁ ଏତେ ବିରୋଧ କରନ୍ତି କାହିଁକି? ଲୋକଲୋଭାବନ ରାଜନୀତିରେ ଦେଶର ଲୋକସମୂହଙ୍କୁ ଏକକ ହିସାବରେ ଦେଖାଯାଏ, ଅନେକତ୍ତ୍ୱର ସମାବେଶରେ ନୁହେଁ । କାରଣ ସେମାନେ ଲୋକମାନଙ୍କର ପ୍ରତିନିଧି ବୋଲି କରୁଥିବା ଦାବିକୁ ଏହା ନୂ୍ୟନ କରିଥାଏ ବୋଲି ସେମାନଙ୍କର ଧାରଣା । ନେତା, ସେମାନଙ୍କର ନୀତି ଏବଂ ଲୋକଙ୍କ ମଧ୍ୟରେ ଏକ ଅବିଭକ୍ତ ସଂଯୋଗକୁ ଏମାନେ ପସନ୍ଦ କରନ୍ତି। ଏଭଳି ଶାସକମାନେ କୌଣସି ଲୋକପ୍ରିୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଗଲାବେଳେ, ପରିବେଶ ବିଧି-ବ୍ୟବସ୍ଥାର ଅନୁପାଳନ ଓ ତତ୍ସମ୍ପର୍କିତ ବିତର୍କର ସମ୍ମୁଖୀନ ହେବାକୁ ଧୈର୍ଯ୍ୟ ରଖନ୍ତି ନାହିଁ। ତତ୍କାଳ ସମାଧାନକୁ ପସନ୍ଦ କରନ୍ତି । କାରଣ, ଏହା ତୁରନ୍ତ ଫଳ ପ୍ରଦାନ କରି ସେମାନଙ୍କର ସମର୍ଥନର ଆଧାରକୁ ବଜାୟ ରଖେ।
ଯୁକ୍ତରାଷ୍ଟ୍ରର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏହି ମନୋଭାବ ତାଙ୍କୁ ‘ପ୍ୟାରିସ୍ ଜଳବାୟୁ ଚୁକ୍ତି’ରୁ ଓହରିଆସିବାକୁ ବାଧ୍ୟ କରିଥିଲା। ଅବଶ୍ୟ, ବାଇଡେନ ପ୍ରଶାସନ ଏହି ନିଷ୍ପତ୍ତିକୁ ତୁରନ୍ତ ବଦଳାଇ ଦେଇଛନ୍ତି। ଓବାମାଙ୍କ ‘ସ୍ବଚ୍ଛ ଶକ୍ତି ଯୋଜନା’ର ଲକ୍ଷ୍ୟ ଥିଲା ୨୦୩୦ ସୁଦ୍ଧା କାର୍ବନ ନିିର୍ଗମନକୁ ୩୨ ପ୍ରତିଶତ ହ୍ରାସ କରିବା। କିନ୍ତୁ, ଟ୍ରମ୍ପ ସେହି ନିଷ୍ପତ୍ତିରୁ ଓହରି ଯାଇଥିଲେ। ଜଳବାୟୁ ପରିବର୍ତ୍ତନକୁ ଜାତୀୟ ସୁରକ୍ଷା ବିପଦ ତାଲିକାରୁ ବାଦ୍ ଦେବାକୁ ପଛାଇ ନ ଥିଲେ। ସେହିପରି, ବ୍ରାଜିଲର ରାଷ୍ଟ୍ରପତି ବୋଲସନାରୋ ଆମାଜନର ସୁରକ୍ଷା ପରି ବିଶ୍ୱସ୍ତରୀୟ ଦାୟିତ୍ୱ ଅପେକ୍ଷା ଘରୋଇ ସ୍ବାର୍ଥକୁ ଅଧିକ ଗୁରୁତ୍ୱ ଦିଅନ୍ତି, ଯାହା ତାଙ୍କର ରାଜନୈତିକ ଆଧାରକୁ ସୁଦୃଢ଼ କରିବ। ବ୍ରାଜିଲର ବୈଦେଶିକ ମନ୍ତ୍ରୀ ଏର୍ନେଷ୍ଟୋ ଆରାଜୋଙ୍କ ମତରେ ଜଳବାୟୁ ପରିବର୍ତ୍ତନ ଏକ ‘ମାର୍କ୍ସବାଦୀ ଷଡ଼ଯନ୍ତ୍ର’। ଫ୍ରାନ୍ସରେ ଇନ୍ଧନ ଉପରେ କାର୍ବନ ଟିକସ ହଟାଇ ନେବାକୁ ସ୍ବର ଶୁଭିଲାଣି। ।
ଭାରତ କଥା ବିଚାରକୁ ନିଆଯାଉ। ରାଜଧାନୀ ଦିଲ୍ଲୀରେ ବାଣ ଫୁଟା ମାମଲାରେ, ୨୦୧୫ରେ ସର୍ବୋଚ୍ଚ ଅଦାଲତ ବାଣର ବିକ୍ରି ତଥା ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏହାର କୁପ୍ରଭାବକୁ ପ୍ରଚାର ପ୍ରସାର କରିବାରେ ସରକାର ବିଫଳ ହେଲେ। ବୋଧହୁଏ, ଧର୍ମୀୟ ବିତର୍କରୁ ଦୂରରେ ରହିବା ପାଇଁ କୋର୍ଟ ଏହା ଉପରେ କୌଣସି କଠୋର ନିର୍ଦ୍ଦେଶ ଦେବାରୁ ନିବୃତ୍ତ ରହିଲେ। ଉଦାରବାଦୀ-ଗଣତାନ୍ତ୍ରିକ ଶାସନ ଶୈଳୀ ପ୍ରାୟତଃ ଧୀର-ମନ୍ଥର, ବିଚାରଶୀଳ ଓ ଦୀର୍ଘମିଆଦୀ। ଉଦାରବାଦୀ କାର୍ଯ୍ୟ ଶୈଳୀରେ ଆକସ୍ମିକତା ଓ ତତ୍କାଳିକତାର କୌଣସି ସ୍ଥାନ ନ ଥାଏ; ଯାହା ପରିବେଶ ସମ୍ପର୍କିତ ଆଇନକାନୁନ ତିଆରି ତଥା ଅନୁପାଳନରେ ସହାୟକ ହୋଇଥାଏ।
ଭାରତ ପରି ଏକ ବିକାଶଶୀଳ ଦେଶରେ ପରିବେଶ ସମ୍ପର୍କିତ ଆଇନକାନୁନ ଆଣିବା ଓ ଅନୁପାଳନ କରିବା ଏକ ବହୁମୁଖୀ ପ୍ରକ୍ରିୟା। ପୋଷଣୀୟ ବିକାଶ, ମାନବ ଅଧିକାର, ଭୂସମ୍ପତ୍ତିର ମାଲିକାନା, ରୋଜଗାର ଓ ବ୍ୟବସାୟିକ ସ୍ବାର୍ଥ ଭଳି ଅନେକ ପରସ୍ପର ପ୍ରତିଦ୍ୱନ୍ଦ୍ୱୀ ସ୍ବାର୍ଥକୁ ସନ୍ତୁଳିତ କରିବାକୁ ପଡ଼େ। ପରିବେଶକୁ କ୍ଷତି ପହଞ୍ଚାଉଥିବା ଅନେକ ପଦକ୍ଷେପର ପ୍ରଭାବ ତୁରନ୍ତ ଦୃଷ୍ଟିଗୋଚର ହୁଏନାହିଁ। କିଛିବର୍ଷ ପରେ ଏସବୁର ପ୍ରଭାବ ସ୍ପଷ୍ଟ ହୁଏ। ତେଣୁ, ଏହା ବିଜ୍ଞାନସମ୍ମତ ସଂଗଠନ, ଗଣମାଧ୍ୟମ, ନାଗରିକ ସମାଜ, ନ୍ୟାୟପାଳିକା ଓ ଅମଲାତନ୍ତ୍ର ପରି ଅନେକ ଅନୁଷ୍ଠାନ ଉପରେ ନିର୍ଭର କରିବାକୁ ହୋଇଥାଏ।
ସମ୍ପ୍ରତି ଭାରତରେ ପର୍ଯ୍ୟାବରଣ ବ୍ୟାପକ କେନ୍ଦ୍ରୀୟ ଆଇନ ଉପରେ ନିର୍ଭରଶୀଳ। ଏହି ଆଇନଗୁଡ଼ିକୁ ବିଭିନ୍ନ ବୈଧାନିକ ସଂସ୍ଥା, ଯେପରି କି କେନ୍ଦ୍ରୀୟ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଜାତୀୟ ତଥା ରାଜ୍ୟ ଜମି ବ୍ୟବହାର ଓ ସଂରକ୍ଷଣ ବୋର୍ଡ, କେନ୍ଦ୍ରୀୟ ଏବଂ ରାଜ୍ୟ ପରିବେଶ ପ୍ରଭାବ ଆକଳନ କର୍ତ୍ତୃପକ୍ଷ, ରାଜ୍ୟ ଜଙ୍ଗଲ ବିଭାଗ ଏବଂ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ମାଧ୍ୟମରେ କାର୍ଯ୍ୟକାରୀ କରାଯାଇଥାଏ। ଆଇନଗୁଡ଼ିକୁ ଲାଗୁ କରିବାର କ୍ଷମତା କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ତ୍ତୃପକ୍ଷଙ୍କ ହାତରେ କେନ୍ଦ୍ରୀଭୂତ ହୋଇ ରହିଛି। ଏହାର ସ୍ବାଭାବିକ ପରିଣାମ ହେଉଛି ଅମଲାତନ୍ତ୍ରର ମର୍ଜିରେ ଆଇନଗୁଡ଼ିକର ଅନୁପାଳନ ଧୀରମନ୍ଥର ହେଉଛି। ଓଡ଼ିଶାରେ ଜଙ୍ଗଲ ସୁରକ୍ଷା ଯେତେବେଳେ ସ୍ଥାନୀୟ ବନ ସୁରକ୍ଷା ସମିତିଗୁଡ଼ିକୁ ଦିଆଗଲା, ଦେଖାଗଲା କି ଓଡ଼ିଶା ପରି ଏକ ବୃହତ୍ ଆଦିବାସୀବହୁଳ କୃଷିପ୍ରଧାନ ରାଜ୍ୟରେ ଏହି ଆନ୍ଦୋଳନ ଯଥେଷ୍ଟ ଶକ୍ତିଶାଳୀ ହେଲା। ମିଳିତ ଜଙ୍ଗଲ ପରିଚାଳନା(ଜେଏଫ୍ଏମ୍) କାର୍ଯ୍ୟକ୍ରମ ଅଧୀନରେ ଉଭୟ ରାଜ୍ୟ ସରକାର ଓ ସ୍ଥାନୀୟ ସମ୍ପ୍ରଦାୟ ମିଳିତ ଭାବରେ ଜଙ୍ଗଲର ସୁରକ୍ଷା ଦାୟିତ୍ୱ ଅନେକାଂଶରେ ସଫଳତାର ସହ ସମ୍ପୂର୍ଣ୍ଣ କଲେ। ଗୋଷ୍ଠୀ ଜଙ୍ଗଲ ପରିଚାଳନା (ସିଏମ୍ଏଫ୍) ଅଧୀନରେ ‘ବନ ସୁରକ୍ଷା ସମିତି’ ଜରିଆରେ ଜଙ୍ଗଲ ସୁରକ୍ଷାକୁ ଲୋକାଭିମୁଖୀ କରାଗଲା। ଏହା କର୍ପୋରେଟ୍ ସଂସ୍କୃତିର ବେପରୁଆ ବିକାଶକୁ ସନ୍ତୁଳିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କଲା।
ତେଣୁ, କ୍ଷମତାର ବିକେନ୍ଦ୍ରୀକରଣରେ କାର୍ଯ୍ୟନିର୍ବାହୀକୁ କେବଳ ତଦାରଖ କରିବାର କାମ ଦେଇ ସ୍ଥାନୀୟ ଲୋକଙ୍କୁ ନିଷ୍ପତ୍ତି ନେବାକୁ ଛାଡ଼ିଦେବାର ଅଛି। ପରିବେଶଗତ ନୀତିନିୟମ କେବଳ ବିଶେଷଜ୍ଞ ଓ ଅମଲାତନ୍ତ୍ର ଦ୍ୱାରା କରା ନ ଯାଇ ହିତାଧିକାରୀଙ୍କଠାରୁ ବ୍ୟାପକ ପରାମର୍ଶ ନିଆଯିବାର ଆବଶ୍ୟକତା ରହିଛି। ସର୍ବେକ୍ଷଣ, କ୍ଷେତ୍ର-ସ୍ତରୀୟ ସଭା ଓ ଖୋଲା ସଭା ମାଧ୍ୟମରେ ଲୋକଙ୍କୁ ଉପଯୁକ୍ତ ପ୍ରତିନିଧିତ୍ୱ ଦିଆଯିବାର ଅଛି। ଏପରି ହେଲେ ରାଜନୀତିର ପ୍ରଭାବ ବହୁ ମାତ୍ରାରେ କମିଯିବ।
ପରିବେଶ ଆଇନ ଅନୁପାଳନରେ ସବୁଠାରୁ ବଡ଼ ସମସ୍ୟା ହେଉଛି ଏହା ବିକାଶ ପଥରେ ବାଧକ ସାଜିଥାଏ କିମ୍ବା ଏହାକୁ ଅନୁପାଳନ କରିବାରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡ଼ିଥାଏ। ଉଦାହରଣ ସ୍ବରୂପ, ରାଜଧାନୀ ଦିଲ୍ଲୀରେ ନଡ଼ାଜଳା କାରଣରୁ ବାୟୁ ପ୍ରଦୂଷଣର ତୀବ୍ରତା ବିଷୟରେ ଆମେ ସମସ୍ତେ ଜାଣୁ। କିନ୍ତୁ ନଡ଼ାଜଳାକୁ ଯାନ୍ତ୍ରୀକରଣ ଦ୍ୱାରା ନିୟନ୍ତ୍ରଣ କରିବା ଖୁବ୍ ମହଙ୍ଗା। ତେଣୁ, ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ପଡ଼ୋଶୀ ତିନିଟି ରାଜ୍ୟରେ ଶାସନରେ ଥିବା ଭିନ୍ନ ଭିନ୍ନ ରାଜନୈତିକ ଦଳ, କୋର୍ଟଙ୍କ ଏକାଧିକ ଅନୁରୋଧ ସତ୍ତ୍ୱେ, ଏହି ପ୍ରସଙ୍ଗକୁ ଏଡ଼ାଇ ଯାଇଛନ୍ତି। କଥା ହେଉଛି ଏଥିପାଇଁ କୃଷକଙ୍କ ନିକଟରେ ଆବଶ୍ୟକ ସମ୍ବଳର ଅଭାବ। ଏଠାରେ ଯଦି କିଛି ବଜାରଭିତ୍ତିକ ବ୍ୟବସ୍ଥା କରାଯାଆନ୍ତା, ତେବେ ଏହି ସମସ୍ୟାର ସମାଧାନ ସମୟକ୍ରମେ ହୋଇପାରନ୍ତା। ପ୍ରଭାବିତ ଲୋକମାନଙ୍କୁ ପଞ୍ଜାବ ଓ ହରିୟାଣାର କୃଷକଙ୍କଠାରୁ ନଡ଼ାଜଳାର ଅଧିକାର କିଣିବାର ସୁଯୋଗ ଦିଆଗଲେ, ଅନେକେ ଏହାକୁ ଗ୍ରହଣ କରିବେ ବୋଲି ଆଶା କରାଯାଏ। ନଡ଼ାଜଳାଜନିତ ଖର୍ଚ୍ଚ କେବଳ କୃଷକଙ୍କ ପରିବର୍ତ୍ତେ ଏକ ବଡ଼ ଗୋଷ୍ଠୀ ମଧ୍ୟରେ ବାଣ୍ଟି ଦିଆଗଲେ ଏହି ସମସ୍ୟାର ସମାଧାନ ଆସିପାରନ୍ତା।
ସାଧାରଣ ଲୋକଙ୍କ ସୁବିଧା-ଅସୁବିଧାକୁ ଧ୍ୟାନରେ ରଖି ଆଇନ-ଆଧାରିତ ନୀତି ନିର୍ଣ୍ଣୟ କରାଯାଇପାରିଲେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସମସ୍ୟାଗୁଡ଼ିକର ସମାଧାନ ହୋଇପାରିବ। ଏ ବାବଦରେ ବିତର୍କ ହେଉ, ଯାହା ପରିବେଶ ସନ୍ତୁଳିତ ବିକାଶ ପାଇଁ ଅଧିକ ସୃଜନଶୀଳ ସମାଧାନ ଖୋଜି ବାହାର କରିବାରେ ସହାୟକ ହୋଇପାରିବ ଏବଂ ଆଗାମୀ ପିଢ଼ି ପାଇଁ ଏକ ପୋଷଣୀୟ ପୃଥିବୀ ଉପଲବ୍ଧ କରାଇପାରିବ।
ଶ୍ରୀଜଗନ୍ନାଥ ବିହାର, ବରମୁଣ୍ଡା, ଭୁବନେଶ୍ୱର
ମୋ: ୯୪୩୭୧୬୪୬୧୧
Email: saktiprasadd@yahoo.in