Categories: ଖେଳ

ଅବସର ନେବେ ମୋର୍ଗାନ

ଲଣ୍ଡନ,୨୭।୬: ଇଂଲଣ୍ଡର ବିଶ୍ୱକପ୍‌ ବିଜେତା ଅଧିନାୟକ ଇଆନ ମୋର୍ଗାନ ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବାକୁ ଯାଉଛନ୍ତି। ୩୫ ବର୍ଷୀୟ ମୋର୍ଗାନ ଚଳିତ ବର୍ଷ ପରବର୍ତ୍ତୀ ଭାଗରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ଇଂଲଣ୍ଡ ଦଳର ନେତୃତ୍ୱ ନେବାକୁ ଇଚ୍ଛୁକ ଥିଲେ। କିନ୍ତୁ ଫର୍ମ ଏବଂ ଫିଟ୍‌ନେସ ଜନିତ ସମସ୍ୟା ଯୋଗୁ ସେ ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି।

୨୦୦୬ରେ ସେ ଆୟର୍ଲାଣ୍ଡ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସ୍କଟଲାଣ୍ଡ ବିପକ୍ଷ ପଦାର୍ପଣ ମ୍ୟାଚ୍‌ରେ ସେ ୯୯ ରନ୍‌ର ପାଳି ଖେଳି ରନ୍‌ ଆଉଟ୍‌ ହୋଇଥିଲେ। ଅନ୍ତର୍ଜାତୀୟ ପଦାର୍ପଣରେ ୯୯ ରନ୍‌ରେ ଆଉଟ୍‌ ହେବାରେ ସେ ପ୍ରଥମ କ୍ରିକେଟର ଥିଲେ। ତେବେ ତାଙ୍କୁ ପ୍ରଥମ ଶତକ ପାଇଁ ବେଶୀ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ୨୦୦୭ରେ ସେ ପ୍ରଥମ ଶତକ ହାସଲ କରିଥିଲେ। ଆୟର୍ଲାଣ୍ଡ ପକ୍ଷରୁ ୨୦୦୬ରୁ ୨୦୦୯ ମଧ୍ୟରେ ସେ ୨୩ ମ୍ୟାଚ୍‌ (୭୪୪ ରନ୍‌) ଖେଳିବା ପରେ ୨୦୧୦ରେ ତାଙ୍କୁ ମିଳିଥିଲା ଇଂଲଣ୍ଡ ଦଳରେ ସ୍ଥାନ। ବିଶ୍ୱର ପ୍ରଥମ କ୍ରିକେଟର ଭାବେ ସେ ଦୁଇ ଦେଶ ପାଇଁ ଅନ୍ତର୍ଜାତୀୟ କ୍ରିକେଟରେ ଶତକ ହାସଲ କରିଥିଲେ। ସେ ଇଂଲଣ୍ଡ ପକ୍ଷରୁ ୨୨୫ ଦିନିକିଆ ମ୍ୟାଚ୍‌ ଖେଳି ୬,୯୫୭ ରନ୍‌ କରିଛନ୍ତି, ଯାହାକି ଦିନିକିଆ କ୍ରିକେଟରେ ଇଂଲିଶ ବ୍ୟାଟରଙ୍କ ମଧ୍ୟରେ ସର୍ବାଧିକ। ତେବେ ଅଧିନାୟକ ଭାବେ ତାଙ୍କ ୭ ବର୍ଷର କାର୍ଯ୍ୟକାଳରେ ଇଂଲଣ୍ଡର ଧଳା ବଳ କ୍ରିକେଟରେ ବିପ୍ଳବ ଆସିଥିଲା। ୨୦୧୫ ବିଶ୍ୱକପ୍‌ ପୂର୍ବରୁ ତାଙ୍କୁ ଆଲେଷ୍ଟର କୁକ୍‌ଙ୍କଠାରୁ ନେତୃତ୍ୱ ମିଳିଥିଲା।

Share