ଦୁବାଇ,୨।୧୦: ଆଇପିଏଲ୍ ୨୦୨୧ର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ପଞ୍ଜାବ କିଙ୍ଗ୍ସ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଥିଲା। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍ରେ କେକେଆର୍ ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ୨୦ ଓଭରରେ ଦଳ ୭ ଉଇକେଟ ହରାଇ ୧୬୫ ରନ୍ କରିଥିଲା। ଜବାବରେ ପଞ୍ଜାବ ଟିମ୍ ୧୯.୩ ଓଭରରେ ୫ ଉଇକେଟ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ଏହି ବିଜୟ ସହ ପଞ୍ଜାବ ଟିମ୍ ଆଇପିଏଲ୍ ଅଙ୍କ ତାଲିକାର ୫ମ ସ୍ଥାନରେ ପହଞ୍ଚିଥିଲା। ସେହିଭଳି କୋଲକାତା ଟିମ୍ ତାଲିକାର ୪ର୍ଥ ସ୍ଥାନରେ ରହିଛି।
ମ୍ୟାଚ୍ ପରେ କୋଲକାତା ଅଧିନାୟକ ଇଓନ ମୋର୍ଗାନ ଦଳର ଭୂଲକୁ ଗୋଟିଗୋଟି କରି ଗଣିଥିଲେ। ନିଜକୁ ମଧ୍ୟ ଦଳ ସହ ସେ ଦୋଷୀ ବୋଲି କହିଥିଲେ। ସେ କହିଥିଲେ, ପ୍ରାରମ୍ଭରେ ଆମର ଫିଲ୍ଡିଂ ଖରାପ ଥିଲା। ଆମେ କ୍ୟାଚ୍ ଛାଡ଼ିଥିଲୁ। ଏଥିରେ ମୁଁ ମଧ୍ୟ ସାମିଲ ଅଛି। ଉଇକେଟ ହିସାବରେ ଭଲ ସ୍କୋର କରିଥିଲୁ। ହେଲେ ପଞ୍ଜାବ ଟିମ୍ ଭଲ ଖେଳିଲା। ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ କ୍ୟାଚ୍ ଛାଡ଼ିବାର ପରିଣାମ ଭୋଗିଲୁ ବୋଲି ସେ କହିଛନ୍ତି। ଏହାଛଡ଼ା କୋଲକାତା ଦଳ ଆଗାମୀ ମ୍ୟାଚ୍ରେ ଭଲ ପ୍ରଦର୍ଶନ କରି ପ୍ଲେଅଫ୍ ଖେଳିବ ବୋଲି ସେ ମଧ୍ୟ କହିଛନ୍ତି।