Categories: ଜାତୀୟ

ଇପିଏଫ୍‌ ସୁଧହାର ୮.୧୫%କୁ ବୃଦ୍ଧି

ନୂଆଦିଲ୍ଲୀ, ୨୯ା୩: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫ୍‌ଓ) ୨୦୨୨-୨୩ ଆର୍ଥତ୍କ ବର୍ଷ ଲାଗି ଭବିଷ୍ୟ ନିଧି ଜମା ଉପରେ ସୁଧହାର ୮.୧୫ ପ୍ରତିଶତ ଧାର୍ଯ୍ୟ କରିଛନ୍ତି। ୨୦୨୧-୨୨ ବର୍ଷରେ ଏହି ସୁଧହାର ୮.୧ ପ୍ରତିଶତ ଥିଲା, ଯାହାକି ୪ ଦଶନ୍ଧି ମଧ୍ୟରେ ସର୍ବନିମ୍ନ। ଇପିଏଫ୍‌ଓର ଶୀର୍ଷ ନୀତି ନିର୍ଦ୍ଧାରଣ ସଂସ୍ଥା କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (ସିବିଟି) ବୈଠକ ମଙ୍ଗଳବାର ବସି ୨୦୨୨-୨୩ ବର୍ଷ ଲାଗି ଇପିଏଫ୍‌ ସୁଧହାର ୮.୧୫ ପ୍ରତିଶତ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ୨୦୧୮-୧୯ରେ ଇପିଏଫ୍‌ ସୁଧହାର ୮.୬୫ ପ୍ରତିଶତ ଥିବାବେଳେ ୨୦୧୯-୨୦ରେ ତାହା ୮.୫ ପ୍ରତିଶତକୁ ହ୍ରାସ ପାଇଥିଲା। ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ପେନ୍‌ସନ ଦେବା ଉପରେ ପଦକ୍ଷେପ ନେବା ଲାଗି ସୁପ୍ରିମକୋର୍ଟ ୨୦୨୨ ନଭେମ୍ବର ୪ରେ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ନିର୍ଦ୍ଦେଶନାମାର କାର୍ଯ୍ୟକାରିତା ସମ୍ପର୍କରେ ଇପିଏଫ୍‌ଓ ସୋମବାର ବୈଠକର ପ୍ରଥମ ଦିନରେ ଷ୍ଟାଟସ୍‌ ରିପୋର୍ଟ ଉପସ୍ଥାପନ କରିଥିଲା। ଅଦାଲତଙ୍କ ରାୟ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରମମନ୍ତ୍ରୀ ଭୂପେନ୍ଦ୍ର ଯାଦବ ବୋର୍ଡକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

Share