Categories: ବାଣିଜ୍ୟ

ଆରବିଆଇ ପରେ ପେଟିଏମକୁ ବଡ଼ ଝଟକା ଦେଲା ଇପିଏଫଓ, ଏହି ସେବା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୦।୨: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା ପେଟିଏମ ପେମେଣ୍ଟସ ବ୍ୟାଙ୍କକୁ ଆଉ ଏକ ଝଟକା ଲାଗିଛି। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଓ) ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ହୋଉଥିବା ଜମା ଏବଂ କ୍ରେଡିଟ ଉପରେ ପ୍ରତିବନ୍ଧକ ଲଗାଇଛି। ପେଟିଏମ ପେମେଣ୍ଟ ବ୍ୟାଙ୍କ ସହିତ ସଂଯୁକ୍ତ ଇପିଏଫ ଆକାଉଣ୍ଟରେ ଜମା ଏବଂ କ୍ରେଡିଟ ଅବରୋଧ କରିବାକୁ ଇପିଏଫଓ ଫେବୃଆରୀ ୮ ରେ ଏକ ସର୍କୁଲାର ଜାରି କରିଥିଲା । ଆରବିଆଇର କାର୍ଯ୍ୟାନୁଷ୍ଠାନ ଯୋଗୁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।

ସର୍କୁଲାରରେ କୁହାଯାଇଛି ଯେ ପେଟିଏମ ପେମେଣ୍ଟ ବ୍ୟାଙ୍କ ସହିତ ଲିଙ୍କ ହୋଇଥିବା ଆକାଉଣ୍ଟ ପାଇଁ ଦାବି ଗ୍ରହଣ କରାଯିବା ଉଚିତ୍‌ ନୁହେଁ। ଗତ ବର୍ଷ ପେଟିଏମ ପେମେଣ୍ଟ ବ୍ୟାଙ୍କ ଏବଂ ଏୟାରଟେଲ ପେମେଣ୍ଟସ ବ୍ୟାଙ୍କ ଆକାଉଣ୍ଟରେ ଇପିଏଫ ପେମେଣ୍ଟ କରିବାକୁ ଇପିଏଫଓ ଅନୁମୋଦନ ଦେଇଥିଲା। କିନ୍ତୁ, ଜାନୁଆରୀ ୩୧ରେ ଆରବିଆଇ ଫେବୃଆରୀ ୨୯ରୁ ପେଟିଏମ ପେମେଣ୍ଟସ ବ୍ୟାଙ୍କ ଆକାଉଣ୍ଟରେ ଜମା, କ୍ରେଡିଟ ଏବଂ ଟପ ଅପ ଉପରେ ପ୍ରତିବନ୍ଧକ ଘୋଷଣା କରିଥିଲା।

Share