EPFO REPORT: ଡିସେମ୍ବର ୨୦୨୩ରେ ବଢ଼ିଲେ ୧୫.୬୨ ଲକ୍ଷ କର୍ମଚାରୀ, ନିଯୁକ୍ତି ଦେବାରେ ଏସବୁ ୫ ରାଜ୍ୟ ଆଗୁଆ…

ନୂଆଦିଲ୍ଲୀ,୨୦।୨ : ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଦିନ ପ୍ରକାଶିତ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୩ ରେ ୧୫.୬୨ ଲକ୍ଷ ନୂତନ ସଦସ୍ୟ ଅବସର ପାଣ୍ଠି ସଂସ୍ଥା ଇପିଏଫଓରେ ଯୋଗ ଦେଇଛନ୍ତି। ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଡିସେମ୍ବର ୨୦୨୩ ମଧ୍ୟରେ ଏକ ମାସ ପୂର୍ବ ତୁଳନାରେ ନେଟ ସଦସ୍ୟଙ୍କ ସଂଖ୍ୟାରେ ୧୧.୯୭ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଛି।

କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେଶନ (ଇପିଏଫଓ)ର ଅସ୍ଥାୟୀ ବେତନ ତଥ୍ୟ ଅନୁଯାୟୀ, ଡିସେମ୍ବର ୨୦୨୨ ତୁଳନାରେ ଡିସେମ୍ବର ୨୦୨୩ ରେ ଏହି ସଦସ୍ୟଙ୍କ ନିଟ ବୃଦ୍ଧି ଘଟିଛି, ଯାହା ୪.୬୨ ପ୍ରତିଶତ ଅଧିକ। ଇପିଏଫଓ ସଦସ୍ୟଙ୍କ ବୃଦ୍ଧି ନିଯୁକ୍ତି ସୁଯୋଗ ବୃଦ୍ଧି, କର୍ମଚାରୀଙ୍କ ସୁବିଧା ଏବଂ ଇପିଏଫଓର ପ୍ରସାର କାର୍ଯ୍ୟକ୍ରମର କାର୍ଯ୍ୟକାରିତା ବିଷୟରେ ସଚେତନତାକୁ ହିଁ ବୁଝାଉଛି ବୋଲି କୁହାଯାଉଛି।

ତଥ୍ୟ ଦର୍ଶାଇଛି ଡିସେମ୍ବର ୨୦୨୩ରେ ପ୍ରାୟ ୮.୪୧ ଲକ୍ଷ ନୂତନ ସଦସ୍ୟ ଇପିଏଫଓରେ ପଞ୍ଜିକରଣ ହୋଇଥିଲେ, ଯାହାକି ନଭେମ୍ବର ୨୦୨୩ତୁଳନାରେ ୧୪,୨୧ ପ୍ରତିଶତ ଅଧିକ । ତଥ୍ୟକୁ ଦେଖିଲେ ଏହା ଜଣାପଡିଛି ଯେ ନୂତନ ସଦସ୍ୟମାନଙ୍କ ମଧ୍ୟରେ ବୟସ ୧୮ ରୁ ୨୫ ବର୍ଷ ବୟସ୍କଙ୍କ ସଂଖ୍ୟା ଅଧିକ। ଡିସେମ୍ବରରେ ଯୋଡି ହୋଇଥିବା ମୋଟ ନୂତନ ସଦସ୍ୟଙ୍କ ମଧ୍ୟରୁ ସେମାନଙ୍କ ପ୍ରତିଶତ ହେଉଛି ୫୭.୧୮ ପ୍ରତିଶତ। ବେତନ ତଥ୍ୟ ଦର୍ଶାଏ ଯେ ପ୍ରାୟ ୧୨.୦୨ ଲକ୍ଷ ସଦସ୍ୟ ଇପିଏଫଓ ଛାଡିଥିଲେ ଏବଂ ପରେ ଇପିଏଫଓ ରେ ପୁଣି ଯୋଗଦାନ କରିଥିଲେ ।

ବେତନ ତଥ୍ୟର ଲିଙ୍ଗଗତ ବିଶ୍ଳେଷଣରୁ ଜଣାପଡିଛି ଯେ ୮.୪୧ ଲକ୍ଷ ନୂତନ ସଦସ୍ୟଙ୍କ ମଧ୍ୟରୁ ପ୍ରାୟ ୨.୦୯ ଲକ୍ଷ ମହିଳା ସଦସ୍ୟ ଅଟନ୍ତି, ଯାହାକି ନଭେମ୍ବର ୨୦୨୩ ତୁଳନାରେ ୭.୫୭ ପ୍ରତିଶତ ଅଧିକ। ଅଧିକନ୍ତୁ, ଡିସେମ୍ବର ମାସରେ ନିଟ ମହିଳା ସଦସ୍ୟତା ପ୍ରାୟ ୨.୯୦ ଲକ୍ଷରେ ପହଞ୍ଚି ପୂର୍ବ ମାସ ତୁଳନାରେ ପ୍ରାୟ ୩.୫୪ ପ୍ରତିଶତ ବୃଦ୍ଧି ଘଟିଥିଲା।

ଇପିଏଫଓ ତଥ୍ୟର ରାଜ୍ୟ-ବିଶ୍ଳେଷଣରୁ ଜଣାପଡିଛି ଯେ ପାଞ୍ଚ ରାଜ୍ୟ ମହାରାଷ୍ଟ୍ର, ଗୁଜରାଟ, ତାମିଲନାଡୁ, କର୍ନାଟକ ଏବଂ ହରିୟାଣାରେ ନୂତନ ସଦସ୍ୟଙ୍କ ସଂଖ୍ୟାରେ ସର୍ବାଧିକ ବୃଦ୍ଧି ଘଟିଛି। ଡିସେମ୍ବର୨୦୨୩ ରେ ଏହି ରାଜ୍ୟଗୁଡିକରୁ ଇପିଏଫଓରେ ପ୍ରାୟ ୯.୧୧ ଲକ୍ଷ ସଦସ୍ୟ ଯୋଗ କରାଯାଇଥିଲା, ଯାହା ମୋଟ ସଦସ୍ୟଙ୍କ ପ୍ରାୟ ୫୮ ପ୍ରତିଶତ ଅଟେ। ଇପିଏଫଓର ମୋଟ ସଦସ୍ୟମାନଙ୍କରେ ମହାରାଷ୍ଟ୍ରର ଅଂଶ ପ୍ରାୟ ୨୧.୬୩ ପ୍ରତିଶତ ଥିଲା । ଇପିଏଫଓ ଏପ୍ରିଲ ୨୦୧୮ରୁ ବେତନ ତଥ୍ୟ ପ୍ରକାଶ କରିବା ଆରମ୍ଭ କରିଥିଲା । ଏହି ଅବଧି ମଧ୍ୟରେ, ସେପ୍ଟେମ୍ବର ୨୦୧୭ ପରେ ଆକଳନ ପ୍ରକାଶ ପାଇଥିଲା।

Share