ନୂଆଦିଲ୍ଲୀ,୧୧।୪: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (EPFO) କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ର ୨୩୭ତମ ବୈଠକରେ Employees’ Deposit Linked Insurance (EDLI) ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘୋଷଣା କରିଛି। ଚାକିରି ସମୟରେ ଦୁର୍ଘଟଣାଜନିତ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରକୁ ଆର୍ଥିକ ଭାବରେ ସଶକ୍ତ କରିବା ଲକ୍ଷ୍ୟରେ ଏହି ସଂଶୋଧନ କରାଯାଇଛି।
EDLI ଯୋଜନା କ’ଣ?
EDLI ଯୋଜନା କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ର ଏକ ଅଂଶ ଏବଂ ଏହାକୁ ସାମାଜିକ ସୁରକ୍ଷା ଲାଭ ଭାବରେ ଲାଗୁ କରାଯାଇଛି। ଏହି ଯୋଜନା ଅନୁଯାୟୀ, ଯଦି କୌଣସି EPF ସଦସ୍ୟ ଚାକିରି ସମୟରେ ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ।
EDLI ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ
୧. ସର୍ବନିମ୍ନ ବୀମା ଲାଭ
ପୂର୍ବରୁ, ଯଦି କୌଣସି କର୍ମଚାରୀଙ୍କ ଚାକିରିର ପ୍ରଥମ ବର୍ଷ ମଧ୍ୟରେ ମୃତ୍ୟୁ ହୁଏ, ତେବେ ପରିବାରକୁ ବୀମା ରାଶି ମିଳୁ ନ ଥିଲା। କିନ୍ତୁ ନୂତନ ନିୟମ ଅନୁଯାୟୀ,
-ସର୍ବନିମ୍ନ ୫୦,୦୦୦ଟଙ୍କାର ବୀମା ଲାଭ ମିଳିବ
-ଏହା ଦ୍ୱାରା ପ୍ରତିବର୍ଷ ୫,୦୦୦ ରୁ ଅଧିକ ପରିବାର ଉପକୃତ ହେବେ
“ଯଦି ଜଣେ EPF ସଦସ୍ୟ ନିରନ୍ତର ସେବାର ଗୋଟିଏ ବର୍ଷ ପୂରଣ ନକରି ମୃତ୍ୟୁବରଣ କରନ୍ତି, ତେବେ ତାଙ୍କ ପରିବାରକୁ ସର୍ବନିମ୍ନ ୫୦,୦୦୦ଟଙ୍କା ବୀମା ରାଶି ଦିଆଯିବ ବୋଲି EPFO କହିଛି।
୨. ଅବଦାନ ନ ଥିବା ଅବଧି ପରେ ମଧ୍ୟ ଲାଭ ଉପଲବ୍ଧ ହେବ:
ପୂର୍ବରୁ ଯଦି ଜଣେ EPF ସଦସ୍ୟ EPFରେ ଅବଦାନ ରଖି ନଥିବା ସମୟରେ ମୃତ୍ୟୁବରଣ କରୁଥିଲେ, ତେବେ ତାଙ୍କ ପରିବାରକୁ ବୀମା ଲାଭ ମିଳୁ ନ ଥିଲା। ହେଲେ ଏବେ ନୂତନ ନିୟମ ଅନୁଯାୟୀ ଶେଷ ଅବଦାନର ଛଅ ମାସ ମଧ୍ୟରେ ଯଦି ଜଣେ କର୍ମଚାରୀଙ୍କ ମୃତ୍ୟୁ ହୁଏ ଏବଂ ତାଙ୍କ ନାମ କମ୍ପାନୀର ତାଲିକାରୁ ହଟାଯାଇ ନାହିଁ, ତେବେ ତାଙ୍କ ପରିବାର EDLI ଲାଭ ପାଇବେ।
୩. ସେବା ନିରନ୍ତରତା ସମ୍ପର୍କରେ ଆଶ୍ୱସ୍ତି:
ପୂର୍ବରୁ ଚାକିରି ପରିବର୍ତ୍ତନ ସମୟରେ କିଛି ଦିନର ବ୍ୟବଧାନ ଥିଲେ ଏହାକୁ ନିରନ୍ତର ସେବା ଭାବରେ ବିବେଚନା କରାଯାଉ ନ ଥିଲା। ଏଥିଯୋଗୁ ପରିବାରଟି ସର୍ବନିମ୍ନ ୨.୫ ଲକ୍ଷରୁ ୭ ଲକ୍ଷ ପର୍ଯ୍ୟନ୍ତ ସୁବିଧାରୁ ବଞ୍ଚିତ ହେଉଥିଲା। ଯଦି ଦୁଇଟି ଚାକିରି ମଧ୍ୟରେ ଦୁଇ ମାସ ପର୍ଯ୍ୟନ୍ତ ବ୍ୟବଧାନ ଥିଲେ ମଧ୍ୟ, ଏହାକୁ ନିରନ୍ତର ସେବା ଭାବରେ ବିବେଚନା କରାଯିବ ଏବଂ ପରିବାରକୁ EDLI ସୁବିଧା ମିଳିବ। ଏହି ପରିବର୍ତ୍ତନ ଦ୍ୱାରା ପ୍ରତିବର୍ଷ ୧,୦୦୦ ରୁ ଅଧିକ ପରିବାର ଉପକୃତ ହେବେ।
ନୂତନ ନିୟମ ଦ୍ୱାରା ଲକ୍ଷ ଲକ୍ଷ କର୍ମଚାରୀ ଉପକୃତ ହେବେ:
EPFO ଦ୍ୱାରା କରାଯାଇଥିବା ଏହି ପରିବର୍ତ୍ତନଗୁଡ଼ିକ କର୍ମଚାରୀଙ୍କ ପରିବାରକୁ ଅଧିକ ସୁରକ୍ଷା ପ୍ରଦାନ କରିବ। ବିଶେଷକରି ଯେଉଁ କ୍ଷେତ୍ରରେ କର୍ମଚାରୀମାନେ ଚାକିରି ପରିବର୍ତ୍ତନ କରିବା ସମୟରେ କିମ୍ବା EPF ଅବଦାନରେ ବାଧା ସୃଷ୍ଟି ହେବା ଯୋଗୁ ସୁବିଧାରୁ ବଞ୍ଚିତ ହେଉଥିଲେ।