ପ୍ରାଚୀନ କାଳରୁ ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ଥିଲା ଓଡ଼ିଶା- ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ,୧୯।୧୦: ପୁରାତନ କାଳରୁ ଓଡ଼ିଶା ଗୌରବମୟ ସାମୁଦ୍ରିକ ପରମ୍ପରାର କେନ୍ଦ୍ରବିନ୍ଦୁ ହୋଇ ରହିଥିଲା । ଆମେ ଆମର ସାମୁଦ୍ରିକ ଐତିହ୍ୟକୁ ସମ୍ମାନ ଦେବା ଦରକାର ବୋଲି ଗୁରୁବାର ମୁମ୍ବାଇ ଠାରେ ଅନୁଷ୍ଠିତ ବିଶ୍ୱ ସାମୁଦ୍ରିକ ଭାରତ ଶିଖର ସମ୍ମିଳନୀ ୨୦୨୩ର ତୃତୀୟ ସଂସ୍କରଣର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହି ଅବସରରେ ପ୍ରଧାନ ଭାରତର ଗୌରବମୟ ସାମୁଦ୍ରିକ ଐତିହ୍ୟ ଏବଂ ଜାତୀୟ ବିକାଶରେ ଆମ ନାବିକଙ୍କ ପ୍ରମୁଖ ଭୂମିକା ବିଷୟରେ ଆଲୋଚନା କରିଛନ୍ତି । ସେ କହିଛନ୍ତି ଭାରତରେ ସାମୁଦ୍ରିକ ଶିଳ୍ପ ବହୁତ ପୁରୁଣା । ଭାରତର ସଭ୍ୟତା ସହ ନୌବାଣିଜ୍ୟ କାରବାରର ସମ୍ପର୍କ ରହିଆସିଛି । ଏବେ ସମଗ୍ର ବୈଶ୍ୱିକ ଶ୍ରମବଳରେ ୧୨% ନାବିକଙ୍କ ଯୋଗଦାନ ରହିଛି । ଏହାକୁ ଦୁଇ ଗୁଣା କରିବାର ଆବଶ୍ୟକତା ରହିଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଯୋର୍ ଦେଇଛନ୍ତି । ଆମେ ଏକ ନୂଆ ଭାରତର ମୂଳଦୁଆ ପକାଇବା ସମୟରେ ଆମର ସାମୁଦ୍ରିକ ଶକ୍ତି ମଧ୍ୟ ବୃଦ୍ଧି କରିବା ଉଚିତ୍ ।

ଅଧିକରୁ ଅଧିକ ଭାରତୀୟ ମହିଳା ନାବିକଙ୍କୁ ନିୟୋଜିତ କରିବା ପାଇଁ ନାବିକମାନଙ୍କୁ ଭବିଷ୍ୟତର ଦକ୍ଷତା, ମାନକୀକରଣ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି । ଗ୍ଲୋବାଲ ମେରିଟାଇମ ଇଣ୍ଡିଆ ସମ୍ମିଟ୍ କାର୍ଯ୍ୟ କରିବାର ଏକ ଉତ୍ତମ ପରିବେଶ ସୃଷ୍ଟି କରିବା ସହିତ ଜାହାଜ ଚଳାଚଳ ଶିଳ୍ପର କଲ୍ୟାଣ, ଅଧିକାର ଏବଂ ନାବିକଙ୍କ ସ୍ୱୀକୃତିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ପ୍ଲାଟଫର୍ମ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଏବଂ ବନ୍ଦର, ଜାହାଜ ଓ ଜଳପଥ ରାଷ୍ଟ୍ର ମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ସହ ସାକ୍ଷାତ୍ କରିଥିଲେ । ଦେଶର ସାମୁଦ୍ରିକ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାମୁଦ୍ରିକ କ୍ଷେତ୍ରରେ ବୈଶ୍ୱିକ ଏବଂ ଜାତୀୟ ସହଭାଗିତା ପାଇଁ ଅନେକ ଏମଓୟୁ ସ୍ୱାକ୍ଷର ହୋଇଥିଲା ।

Share