ଶେଷ ହୋଇନି ମହାମାରୀ, ସତର୍କତା ଜରୁରୀ…

ବର୍ଲିନ,୨୫।୧୦: ପୃଥିବୀରୁ କରୋନା ମହାମାରୀ ଶେଷ ହୋଇନି। ଯେଭଳି ସଂକ୍ରମଣ ନ ହେବ ସେ ନେଇ ସଭିଏଁ ସତର୍କ ରହିବା ଜରୁରୀ। କରୋନା ମାର୍ଗଦର୍ଶିକା ପାଳନ ସହିତ ସଚେତନ ରହିବା ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ଟେଡ୍ରୋସ ଆଧାନୋମ ଘେବ୍ରେୟିସସ କରୋନା ମହାମାରୀ ବିଷୟରେ ଏଭଳି ସୂଚନା ଦେଇ ପୁଣି ଥରେ ଚେତାବନୀ ଦେଇଛନ୍ତି।

ଏହି ସଙ୍କଟର ମୁକାବିଲା ପାଇଁ ଜନସ୍ବାସ୍ଥ୍ୟ ଉପକରଣକୁ ଫଳପ୍ରଦ ଭାବରେ ବ୍ୟବହାର କରିବାର ଆବଶ୍ୟକତା ରହିଛି । ସେ କହିଛନ୍ତି ଯେ ଯେତେବେଳେ ବିଶ୍ୱ ଏହାକୁ ସମାପ୍ତ କରିବାକୁ ଚାହିଁବ ସେତେବେଳେ ମହାମାରୀର ଅନ୍ତ ଘଟିବ। ଏହାର ସମାଧାନ ଆମମାନଙ୍କ ହାତରେ ରହିଛି। ଆମର ଆବଶ୍ୟକ ସମସ୍ତ ଉପକରଣ ଅଛି। କିନ୍ତୁ ପୃଥିବୀର ବିଭିନ୍ନ ଅଞ୍ଚଳରେ ସେହି ଉପକରଣଗୁଡ଼ିକୁ ଭଲ ଭାବରେ ବ୍ୟବହାର କରାଯାଇନାହିଁ ।

ବର୍ଲିନରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସ୍ବାସ୍ଥ୍ୟ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଟିକାକରଣକୁ ତ୍ୱରାନ୍ବିତ କରିବାକୁ ସେ ଜି-୨୦ ଦେଶ ସମୂହକୁ ନିବେଦନ କରିଛନ୍ତି। ଜି -୨୦ ଦେଶମାନେ ସେମାନଙ୍କର ୪୦ ପ୍ରତିଶତ ଜନସଂଖ୍ୟାକୁ କୋଭାକ୍ସ୍‌ ମେକାନିଜିମ୍‌କୁ ଗ୍ରହଣ କରିବା ସହିତ ଆଫ୍ରିକୀୟ ଭ୍ୟାକ୍ସିନ ଅଧିଗ୍ରହଣ ଟ୍ରଷ୍ଟ (ଏଭିଏଟି)ରେ ସକ୍ରିୟ ଭାବରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

କରୋନା ଟିକାର ସହଜ ବିତରଣ ପାଇଁ ୮୦୦ କୋଟି ଡଲାର ସଂଗ୍ରହ କରିବା ଲାଗି ସେ ଜି-୨୦ ରାଷ୍ଟ୍ରଙ୍କୁ ପରାମର୍ଶ ଦେଇଛନ୍ତିି। ଏହାଦ୍ୱାରା ପୃଥିବୀର ଗରିବ ଦେଶଙ୍କ ପାଖରେ ଟିକା ପହଞ୍ଚିପାରିବ। ଫଳରେ କରୋନା ମହାମାରୀ ସହିତ ଲଢ଼େଇ ପ୍ରଭାବଶାଳୀ ହୋଇ ପାରିବ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।

Share