ଚେନ୍ନାଇ, ୨୯ା୩(ପି.ଟି.): ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଡ଼ାପ୍ପାଡ଼ି କେ. ପାଲାନିସ୍ବାମୀ (ଇପିଏସ୍)ଙ୍କୁ ଏଆଇଏଡିଏମ୍କେର ସାଧାରଣ ସମ୍ପାଦକ ନିର୍ବାଚିତ କରାଯାଇଥିବା ମଙ୍ଗଳବାର ଦଳ ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଜୁଲାଇରେ ଦଳର ସାଧାରଣ ପରିଷଦରେ ଗୃହୀତ ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେବା ପରେ ଦଳର ନିର୍ବାଚନ ଅଧିକାରୀ ପୋଲାଚି ଭି. ଜୟରମଣ ଏବଂ ପୂର୍ବତନ ମନ୍ତ୍ରୀ ନାଥମ ଆର୍. ବିଶ୍ୱନାଥନ୍ ଉପରୋକ୍ତ ଘୋଷଣା କରିଛନ୍ତି। ଏଆଇଏଡିଏମ୍କେ ସାଧାରଣ ସମ୍ପାଦକ ନିର୍ବାଚିତ ହୋଇଥିବାରୁ ପାଲାନିସ୍ବାମୀ ଦଳୀୟ କ୍ୟାଡର ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିର୍ବାଚନ ସ୍ଥଗିତ ରଖିବା ଲାଗି ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଓ. ପନିର୍ସେଲ୍ଭାମ (ଓପିଏସ୍) କରିଥିବା ଆବେଦନକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ।